ପ୍ରୟାଗଠାରେ ଠାବ ହେଲା ମହାଭାରତ ଯୁଗର ସୁଡ଼ଙ୍ଗ, ଏହି ରାସ୍ତା ଦେଇ ଯାଇ ଜୀବନ ବଞ୍ଚାଇଥିଲେ କି ପାଣ୍ଡବ?

ମହାଭାରତ ଯୁଗର କାହାଣୀକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଉତ୍ସୁକତା। କାହାଣୀର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ବି ଐତିହାସିକମାନେ ଗବେଷଣା ଜାରି ରଖିଛନ୍ତି। ତୀର୍ଥ ନଗରୀ ପ୍ରୟାଗରାଜରେ ମହାଭାରତ ଯୁଗର ଜଉ ମହଲ ଥିବା ନେଇ ଚର୍ଚ୍ଚା ହେଉଛି।
କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳର ଏକ ଖଣ୍ଡରରେ ପଥରର ସୁଡ଼ଙ୍ଗ ଥିବା ଦେଖିବାକୁ ମିଳିଛି। ଯାହା ସାଧାରଣରେ କୌତୁହଳର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ସୁଡ଼ଙ୍ଗ ପ୍ରାୟ ୪ ଫୁଟ୍‌ ଚଉଡ଼ାର ହୋଇଥିବା ବେଳେ ଲମ୍ବା ସମ୍ପର୍କରେ ଜଣାପଡ଼ିନାହିଁ। ତେବେ ଏବେ ସୁଡ଼ଙ୍ଗର ମାତ୍ର କିଛି ଅଂଶ ହିଁ ଦୃଶ୍ୟମାନ ହେଉଛି। ବାକି ଅଂଶ ମାଟି ତଳେ ପୋତି ହୋଇ ରହିଛି। ତେବେ ଏହି ସୁଡ଼ଙ୍ଗ ଦେଇ ଦ୍ୱାପର ଯୁଗରେ ପାଣ୍ଡବମାନେ ଜଉ ମହଲରୁ ବାହାରିଥିଲେ ବୋଲି କୁହାଯାଏ। ଏଣୁ ଏହି ସ୍ଥାନକୁ ମହାଭାରତ ଯୁଗର ଜଉ ମହଲ ଘୋଷଣା କରିବାକୁ ଦାବି ହେଉଛି।

ଏହାସହ ପଢ଼ନ୍ତୁ: ଟେଲିମେଡିସିନ୍‌ର ନୂଆ ଟେକ୍ନୋଲୋଜି, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଆଉ ପ୍ରତିବନ୍ଧକ ସାଜିବନି ଭାଷା, ଏହି ମେସିନ୍‌ ବୁଝିବ ଉଭୟଙ୍କ କଥା

ଶାସ୍ତ୍ର ଅନୁସାରେ, ମହାଭାରତ ଯୁଗରେ ପାଣ୍ଡବଙ୍କୁ ଜିଅନ୍ତା ଜଳାଇବା ପାଇଁ ଦୁର୍ଯ୍ୟୋଧନ ଜଉ ମହଲ ନିର୍ମାଣ କରିଥିଲେ। ବିଦୁର ଏ ସମ୍ପର୍କରେ ପାଣ୍ଡବଙ୍କୁ ସୂଚନା ଦେଇଥିଲେ। ପରେ ପାଣ୍ଡବମାନେ ଜୀବନ ବଞ୍ଚାଇବାକୁ ଏକ ସୁଡ଼ଙ୍ଗ ନିର୍ମାଣ କରି ଚୁପ୍‌ଚାପ ବାହାରକୁ ଆସିଯାଇଥିଲେ।
ମହାଭାରତରେ ସମସ୍ତ ଘଟଣା ବର୍ଣ୍ଣନା କରାଯାଇଥିବା ବେଳେ ଜଉ ମହଲର ଅବସ୍ଥିତି ସମ୍ପର୍କରେ କୁହାଯାଇନାହିଁ।

ଭାରତର ୪-୫ଟି ସ୍ଥାନରେ ଜଉ ମହଲ ଥିବା ଦାବି କରାଯାଉଛି। ପ୍ରୟାଗରାଜ ସହରର ସଙ୍ଗମଠାରୁ ପ୍ରାୟ ୫୦ କିଲୋମିଟର ଦୂର ହଣ୍ଡିଆ ଅଞ୍ଚଳରେ ଗଙ୍ଗା ନଦୀ କୂଳରେ ମଧ୍ୟ ଏଭଳି ଏକ ଖଣ୍ଡର ରହିଛି। ସେହି ସ୍ଥାନକୁ ମଧ୍ୟ ମହାଭାରତ ଯୁଗର ଜଉ ମହଲ କୁହାଯାଏ।