ଏହି ଅଞ୍ଚଳ ଉପରେ କାହାର ନାହିଁ ଅଧିକାର! ନା କୌଣସି ଦେଶର ନା ମଣିଷର; ଜାଣନ୍ତୁ କାହିଁକି ହୋଇଛି ଏହା ଦୁନିଆର No Mans Land

ଜମି ପାଇଁ ଆପଣ ନିଶ୍ଚିତ ଭାବରେ ଦୁଇ ଦେଶ, ଭାଇ-ଭାଇ ଏବଂ ବାପାପୁଅ ମଧ୍ୟରେ ଝଗଡା ଲାଗୁଥିବାର ଦେଖିଥିବେ। ବର୍ଷ ବର୍ଷ ଧରି ଏହି ମାମଲା ଚାଲିଥାଏ। ବେଳେବେଳେ ଏହି ଝଗଡା ଛୋଟ ଜମି ପାଇଁ ମଧ୍ୟ ହୋଇଥାଏ। ଯେତେବେଳେ ଉଭୟ ପକ୍ଷ ଜମି ଉପରେ ନିଜ ନିଜର ଅଧିକାର ଛାଡିବାକୁ ଚାହାଁନ୍ତି ନାହିଁ, ସେତେବେଳେ ଏହି ଝଗଡ଼ା ଉଗ୍ର ରୂପ ଧାରଣ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ପୃଥିବୀରେ ୨୦୬୦ ବର୍ଗ କିଲୋମିଟରର ଏପରି ଏକ ଜମି ଅଛି, ଯାହା ଉପରେ କୌଣସି ଦେଶ, ସଂଗଠନ କିମ୍ବା ମଣିଷ ନିଜର ବୋଲି ଦାବି କରନ୍ତି ନାହିଁ। ଆଫ୍ରିକାର ଦୁଇ ଦେଶ ମଧ୍ୟରେ ରହିଛି ଏହି ସ୍ଥାନ। ଆସନ୍ତୁ ଜାଣିବା ଏହା ବିଷୟରେ।
ରିପୋର୍ଟ ଅନୁଯାୟୀ, ଇଜିପ୍ଟ ଏବଂ ସୁଦାନ ସୀମାରେ ୨୦୬୦ ବର୍ଗ କିଲୋମିଟର ଜମି ରହିଛି। ଏହି ଅଞ୍ଚଳ ‘ବିର୍ ତାୱିଲ୍ ନୋ’ ନାମରେ ଜଣାଶୁଣା, କିନ୍ତୁ ଏହି ଅଞ୍ଚଳ ଉପରେ କାହାର ଅଧିକାର ନାହିଁ। ନା ସୁଦାନ ଏହାକୁ ନିଜର ବୋଲି ଭାବେ ନା ଇଜିପ୍ଟ। କେବଳ ଏତିକି ନୁହେଁ, ଦୁନିଆର କୌଣସି ଦେଶ ବି ଏହି ଜମି ଅଧିକାର କରିବାକୁ ଚାହୁଁ ନାହାଁନ୍ତି। ୧୮୯୯ ମସିହାରେ ଗ୍ରେଟ୍ ବ୍ରିଟେନ ସୁଦାନ ଏବଂ ଇଜିପ୍ଟର ସୀମା ସ୍ଥିର କରିଥିଲା, କିନ୍ତୁ ତା’ ପରେ ମଧ୍ୟ ଉଭୟ ଦେଶ କେହି ବି ଏହି ଜମି ଉପରେ ନିଜର ଅଧିକାର ପ୍ରକାଶ କଲେ ନାହିଁ କିମ୍ବା ଅଧିକାର ମାଗିଲେ ନାହିଁ। ଏହି କାରଣରୁ ଏହି ଅଂଶଟି ସେବେଠାରୁ ‘ନୋ ମ୍ୟାନ୍ ଲ୍ୟାଣ୍ଡ୍’ ଭାବରେ ଜଣାଯାଇ ଆସୁଛି।
ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ ବିର୍ ତାୱିଲ୍ ଅଞ୍ଚଳ ଏତେ ଶୂନଶାନ ଏବଂ ଅନାବଶ୍ୟକ କାହିଁକି? ବାସ୍ତବରେ ଏହି ଭୂମି ଲୋହିତ ସାଗର ନିକଟରେ ଅବସ୍ଥିତ ଏବଂ ଏଠାରେ କେବଳ ମରୁଭୂମି ରହିଛି। ଏହି ସ୍ଥାନରେ ନା ପାଣି ଅଛି ନା ଗଛଲତା। ସମଗ୍ର ଅଞ୍ଚଳ ଶୁଖିଲା ଏବଂ ଏଠାରେ ସର୍ବଦା ଗରମ ପବନ ପ୍ରବାହିତ ହୁଏ। ଗରମ ପବନ ହେତୁ ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ସମ୍ଭବପର ନୁହେଁ। ଏହି କାରଣରୁ କେହି ମଧ୍ୟ ଏଠାରେ ନିଜର ଦାବି ରଖନ୍ତି ନାହିଁ।
ତଥାପି, ସମୟ ସମୟରେ ବିଭିନ୍ନ ଦେଶର ଲୋକମାନେ ଏଠାକୁ ଆସି ନିଜ ରାଜ୍ୟ ଗଢ଼ିବାକୁ ଦାବି କରନ୍ତି। ୨୦୧୪ରେ ଆମେରିକାର ଜଣେ ବ୍ୟକ୍ତି ନିଜର ପତାକା ତିଆରି କରି ଏଠାରେ ଲଗାଇଥିଲେ ଏବଂ ଏହାକୁ ନିଜ ଦେଶ ବୋଲି କହିଥିଲେ। ଏହାପରେ ୨୦୧୭ରେ ଭାରତର ସୁୟଶ ଦୀକ୍ଷିତ ନିଜର ପତାକା ଲଗାଇ ଏହାକୁ ‘କିଙ୍ଗଡମ ଅଫ ଦୀକ୍ଷିତ’ ଘୋଷଣା କରିଥିଲେ।