୫୦୦ ଟଙ୍କା ଦିଅ, ଜେଲ୍‌ରେ ବିତାଅ ଗୋଟିଏ ରାତି! ଭାରତର ଏହି ଜେଲ୍‌ ଲୋକଙ୍କୁ ଦେଉଛି ନିଆରା ଅଫର୍‌

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଜେଲ୍‌ ଯିବାକୁ ଚାହାଁନ୍ତିନି। ଏପରି କି, ସେମାନେ ସେଭଳି କର୍ମ ସୁଦ୍ଧା କରନ୍ତିନି, ଯଦ୍ଦ୍ଵାରା କି, ସେମାନଙ୍କୁ ଜେଲ ଯିବାକୁ ପଡ଼ିପାରେ। କୌଣସି ବ୍ୟକ୍ତିକୁ ସେତେବେଳେ ଜେଲ୍‌କୁ ପଠାଯାଇଥାଏ, ଯେତେବେଳେ ସେ କୌଣସି ବଡ଼ ଅପରାଧ କରି ବସିଥାଏ। କିନ୍ତୁ ଏହାରି ଭିତରେ ଉତ୍ତରାଖଣ୍ଡରୁ ଏମିତି ଏକ ଅଜବ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଥିବା ଏକ ଜେଲ୍‌ ଲୋକମାନଙ୍କୁ ନିଆରା ଅଫର୍‌ ପ୍ରଦାନ କରି ସେମାନଙ୍କ ଭ୍ରାନ୍ତ ଧାରଣା ଦୂର କରିବାକୁ ଚେଷ୍ଟା କରୁଛି। ଜେଲ୍‌ର ଏହି ଅଫର୍‌ କିଛି ଲୋକଙ୍କୁ ଆକୃଷ୍ଟ ମଧ୍ୟ କରିବାରେ ଲାଗିଛି।

ରିପୋର୍ଟରୁ ଜଣାପଡ଼ିଛି, ଏହି ଅଫର୍‌ ଉତ୍ତରାଖଣ୍ଡର ହଲ୍‌ଦ୍ୱାନୀ ଜେଲ୍‌ ପ୍ରଶାସନ ତରଫରୁ ଲୋକଙ୍କୁ ଦିଆଯାଉଛି। ଅଫର୍‌ ମୁତାବକ, ପ୍ରତି ରାତି ପିଛା ୫୦୦ ଟଙ୍କା ଶୁଳ୍କରେ ଲୋକମାନଙ୍କୁ ଜେଲ୍‌ ଭିତରର ବାସ୍ତବ ଜୀବନ ଅନୁଭବ କରିବାକୁ ଦିଆଯିବ। ଲୋକଙ୍କୁ କୁକର୍ମରୁ ବଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଯଦ୍ଦ୍ଵାରା ସେମାନେ ଅନୁଭବ କରି ପାରିବେ ଯେ ଜେଲ୍‌ରେ ଜୀବନ କେମିତି ହୋଇଥାଏ। ଏତିକିି ନୁହେଁ, ଏହା ପଛରେ ବି ଏକ ଅଜବ ଯୁକ୍ତି ଦିଆଯାଇଛି। ଆସନ୍ତୁ ଜାଣିବା ତାହା କ’ଣ?

ମିଡିଆ ରିପୋର୍ଟ ମୁତାବକ, କିଛି ଲୋକଙ୍କ ଜାତକରେ ଗ୍ରହ, ନକ୍ଷତ୍ରର ସ୍ଥିତିକୁ ଦେଖି ଜ୍ୟୋତିଷ ଭବିଷ୍ୟବାଣୀ କରି ଥାଆନ୍ତି। ବେଳେବେଳେ ଏମିତି ବି ହୁଏ, ଜ୍ୟୋତିଷ କୁହନ୍ତି କି, ଆପଣଙ୍କୁ ଆପଣଙ୍କ ଜୀବନରେ ଯେମିତି ବି ହେଲେ ଥରୁଟିଏ ଜେଲ୍‌ ଯିବାକୁ ପଡ଼ିବ। ଏମିତି ସ୍ଥିତିରେ ଭବିଷ୍ୟତର ଏହି ଯୋଗ କାଟିବା ପାଇଁ ଲୋକେ ଆପେ ହିଁ ଜେଲ୍‌ରେ ରହିବାକୁ ଚାଲି ଯାଉଛନ୍ତି। ଏହି ଲୋକଙ୍କ ପାଇଁ ଜେଲରେ ଏକ ଭାଗ ପ୍ରସ୍ତୁତ କରାଯାଇଛି, ଯେଉଁଠି ଲୋକମାନେ ମାତ୍ର ୫୦୦ ଟଙ୍କାରେ ଗୋଟିଏ ରାତି ବିତାଇ ପାରିବେ।

ସୂଚନା ମୁତାବକ, ହଲ୍‌ଦ୍ୱାନୀର ଏହି ଜେଲ୍‌କୁ ୧୯୦୩ ମସିହାରେ ତିଆରି କରାଯାଇଥିଲା। ଏଥିରେ ୬ଟି ଷ୍ଟାଫ୍‌ କ୍ୱାର୍ଟର୍ସ ସହ ଏକ ପୁରୁଣା ଅସ୍ତ୍ରାଗାର ରହିଛି। ଜେଲ୍‌ ପ୍ରଶାସନ ଗଣମାଧ୍ୟମକୁ କହିଛନ୍ତି ଯେ ଜେଲ୍‌ର ବାକି ଭାଗଗୁଡ଼ିକୁ ଜେଲ୍‌ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କିଛି ଲୋକଙ୍କ ଜାତକରେ ବନ୍ଧନ ଯୋଗ ଥିବା କାରଣରୁ ଜ୍ୟୋତିଷ ଜେଲ୍‌ରେ ରାତି ବିତାଇବାକୁ ପରାମର୍ଶ ଦେଉଛନ୍ତି। ଆମ ପାଖରେ ଜେଲ୍‌ ଭିତରେ ଏକ ଭାଗ ରହିଛି, ଯାହାକୁ ଡମି ଜେଲ୍‌ କୁହାଯାଇ ପାରିବ। ଏହାକୁ ଆମେ ସମ୍ପୂର୍ଣ୍ଣ ଜେଲ୍‌ ପରି ତିଆରି କରିଛୁ।

ସେପଟେ ଜେଲ ଦଣ୍ଡରୁ ରକ୍ଷା ପାଇବା ପାଇଁ କିଛି ଲୋକ ଜେଲର ରୁଟି ଖାଉଛନ୍ତି। ସାଧାରଣ ଲୋକଙ୍କ ସହ କିଛି ରାଜନେତା ମଧ୍ୟ ରାଶିଫଳରେ ଅସୁବିଧା ଥିବା କହି ଜେଲରୁ ରୁଟି ମଗାଇ ଖାଉଛନ୍ତି। ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ରାଶିରେ ଯାହା ଲେଖା ହୋଇଛି, ଏହା ନିଶ୍ଚିତ ଭାବରେ ଜୀବନରେ ଘଟିବ। ଯଦି କାହା ରାଶିଫଳରେ ଜେଲ ଯିବାର ଦୋଷ ରହିଛି, ତ ସେମାନଙ୍କୁ ଭୟ ଘାରୁଛି। ଏହାକୁ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ଆପଣାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.