ଏହି ଚିତ୍ରଶିଳ୍ପୀଙ୍କ ଚିତ୍ର ବଦଳାଇଦେଇଛି ସରକାରୀ ସ୍କୁଲ ଗୁଡିକର ରଙ୍ଗ

ଭିନ୍ନ ମଣିଷ ଭିନ୍ନ ତାଙ୍କ ପ୍ରୟାସ । ଏହି ଉକ୍ତିଟି ସତ ହୋଇଛି ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ । ଉତ୍ତର ପ୍ରଦେଶ ରାଜ୍ୟ ଅନ୍ତର୍ଗତ ବଦଉଁ ଜିଲ୍ଲାର ଏକ ସାଧାରଣ ଚିତ୍ର ଶିଳ୍ପୀ ନିଜର ଏକ ଭିନ୍ନ ଚିନ୍ତାଧାରା ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଚିତ୍ର ଶିଳ୍ପୀ ଜଣଙ୍କ ନାଁ ହେଉଛି ମୁସ୍ତାଫା ଆବାସୀ । ସେ ବିଭିନ୍ନ ସରକାରୀ ସ୍କୁଲ ଗୁଡିକର କାନ୍ଥରେ ବିଭିନ୍ନ ପ୍ରେରଣା ଦାୟୀ ଚିତ୍ର ମାନ ଆଙ୍କିଥାନ୍ତି । ତାଙ୍କର ଏହି କାମ ଦ୍ୱାରା ବଦଉଁ ସ୍କୁଲ ଗୁଡିକ ଏକ ଭିନ୍ନ ରୂପ ଧାରଣ କରିଛି । ଏହା ଛଡା ସେ ନିଜ ରୋଜଗାରର ଏକ ଭାଗ ସ୍କୁଲ ଗୁଡିକର ଉନ୍ନତିରେ ମଧ୍ୟ ଖର୍ଚ୍ଚ କରିଥାନ୍ତି । ଆବାସି ପେଶାରେ ଜଣେ ସାଧାରଣ ପେଣ୍ଟର । ଏମିତିରେ ତାଙ୍କ ରୋଜଗାର ମଧ୍ୟ ସ୍ୱଳ୍ପ । ନିଜର ଏହି ସାଧାରଣ ଜୀବିକା ତଥା ବ୍ୟସ୍ତ ଭରା ଜୀବନରୁ କିଛି ସମୟ ବାହାର କରି ସେ ଏହି ସ୍କୁଲ ଗୁଡିକୁ ସୁନ୍ଦର କରିଥାନ୍ତି ।

ତାଙ୍କର ଏହି ପ୍ରୟାସ ଏବେ କେବଳ ଜିଲ୍ଲା ସ୍ତରରେ ନୁହେଁ ବରଂ ରାଜ୍ୟରେ ମଧ୍ୟ ଏକ ପରିଚୟ ସୃଷ୍ଟି କରିପାରିଛି । ତାଙ୍କୁ ଏ ବିଷୟରେ ଯେତେବେଳେ ପଚରା ଯାଇଥିଲା ସେ କହିଥିଲେ କି ତାଙ୍କର ଏହି ପ୍ରୟାସରେ ସ୍କୁଲ ଗୁଡିକ ସୁନ୍ଦର ହେବା ଦ୍ୱାରା ଦୂର ଦୁରାନ୍ତରୁ ପିଲା ସ୍କୁଲକୁ ଆସନ୍ତି ତେବେ ତାହା ହିଁ ତାଙ୍କର ପ୍ରକୃତ ସଫଳତା ହେବ । ତାଙ୍କର ଏହି ପେଣ୍ଟିଙ୍ଗ ଗୁଡିକୁ ଛୋଟ ଛୋଟ ପିଲା ବହୁତ ପସନ୍ଦ କରିଥାନ୍ତି । ଖାଲି ସେତିକି ନୁହେଁ ସେମାନଙ୍କୁ ଏଥିରୁ ପ୍ରେରଣା ମଧ୍ୟ ମିଳିଥାଏ । ପାଠ ପଢିବା ଆଗକୁ ବଢି଼ବା ପାଇଁ ତାଙ୍କ ଭିତରେ ଉତ୍ସାହ ବଢିଥାଏ । ଏକ ବର୍ଷ ପୂର୍ବରୁ ମୁସ୍ତାଫା ଆରମ୍ଭ କରିଥିବା ଏହି କାମ ପାଇଁ ସେ ଏପର୍ଯ୍ୟନ୍ତ କୌଣସି ସ୍କୁଲ ଠାରୁ ଗୋଟିଏ ବି ଟଙ୍କା ନେଇନାହାନ୍ତି । ଏବେ ତାଙ୍କ ସହ ତାଙ୍କର ଅନ୍ୟ କେତେକ ସହଯୋଗୀମାନେ ମଧ୍ୟ କାମ କରୁଛନ୍ତି । ଏହି ଟିମ ଟିକୁ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ସୁନ୍ଦର କରିବାର ଏମିତି ନିଶା ଲାଗିଛି ଯେ, କୋଉଠୁ ସୂଚନା ପାଇବା ମାତ୍ରେ ହିଁ ସେମାନେ ସଙ୍ଗେ ସଙ୍ଗେ ଏଠାରେ ପହଂଚିଯାନ୍ତି ।

କାମ ଆରମ୍ଭ କରିଦେଇଥାନ୍ତି ସରକାରୀ ସ୍କୁଲ ଗୁଡିକର କାନ୍ଥ କୁ ରଙ୍ଗେଈବା ଯେମିତି ସେମାନଙ୍କ ଜୀବନର ଏକ ବିଶେଷ ଲକ୍ଷ । କିନ୍ତୁ ଏଥିପାଇଁ ସେମାନେ କାହାଠାରୁ ଗୋଟେ ଟଙ୍କା ବି ନିଅନ୍ତି ନାହିଁ । ସ୍କୁଲ ଗୁଡିକ ନିଜ ତରଫରୁ କେବଳ ରଙ୍ଗ ଯୋଗାଡ କରିଥାନ୍ତି ।
ଅବାଶି ଓ ତାଙ୍କ ଦଳ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ନିଜ ଏକ ପରିଚୟ ସୃଷ୍ଟି କରିଛନ୍ତି । ଏମାନେ କେବଳ କାନ୍ଥ ଗୁଡିକୁ ରଙ୍ଗେଇ ନଥାନ୍ତି ସେଥିରେ ବିଭିନ୍ନ ମହାପୁରୁଷ ତଥା ବିଭିନ୍ନ ପ୍ରେରଣା ଦାୟୀ ବ୍ୟକ୍ତିଙ୍କ ଚିତ୍ର ଆଙ୍କିଥାନ୍ତି । ଏହା ବାଦ ସେମାନେ ବିଭିନ୍ନ ପ୍ରରଣାତ୍ମକ ସନ୍ଦେଶମାନ ମଧ୍ୟ ଲେଖିଥାନ୍ତି । ଆଥଲେଟ ହିମା ଦାଶଙ୍କ ଠାରୁ ଆରମ୍ଭ କରି ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଚିତ୍ର ପିଲାଙ୍କୁ ଅଧିକ ଆକର୍ଷିତ କରିଥାଏ ବୋଲି ସେମାନେ ମତ ରଖିଛନ୍ତି ।

ଏହା ସହ ପଢନ୍ତୁ:

ଚାଲାଣ ନ କାଟି ଲୋକଙ୍କର ସାହାଯ୍ୟ ପାଇଁ ରାସ୍ତା ମରାମତି କରୁଛନ୍ତି ଏହି ଟ୍ରାଫିକ ପୋଲିସ

ଆଉ ମଧ୍ୟ ଯଦି କୌଣସି ସ୍କୁଲରେ କିଛି ଜରୁରୀ ଜିନିଷ ନାହିଁ ତେବେ ଅବଶି ସେଗୁଡିକର ଯୋଗାଡ ତୁରନ୍ତ କରିଥାନ୍ତି । ତାଙ୍କ ଦଳର ଏହି ଭିନ୍ନ ପ୍ରୟାସ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ମୁସ୍ତାଫାଙ୍କ କହିବା ଅନୁଯାୟୀ, ଯେକୌଣସି କଳା କେବଳ ପଇସା ରୋଜଗାରରେ ସୀମିତ ରହିବା ଉଚିତ ନୁହେଁ । ୟାକୁ ଏକ ଭିନ୍ନ ଦିଗ ଦେବା ମଧ୍ୟ ଆବଶ୍ୟକ । ଏହା ଦ୍ୱାରା ସ୍କୁଲ ଗୁଡିକର ସ୍ଥିତି ସୁଧାର ଯାଇ ପାରିବ, ସ୍କୁଲ ଭିତରର ବାତାବରଣ ବଦଳା ଯାଇ ପାରିବ, ପିଲାଙ୍କର ଶିକ୍ଷା ପ୍ରତି ଆଗ୍ରହ ବଢାଯାଇ ପାରିବ । ସରକାରୀ ସ୍କୁଲ ଗୁଡିକ ଯଦି ବେସରକାରୀ ସ୍କୁଲ ଗୁଡିକ ପରି ଦେଖା ହେଵ ତେବେ ସାଧାରଣ ବର୍ଗର ପିଲା ମଧ୍ୟ ସ୍କୁଲ ପ୍ରତି ଆକର୍ଷିତ ହୋଇପାରିବେ । କେବଳ ଏହି ଚିନ୍ତା ଧାରା ସହ ହିଁ ସେ ସ୍କୁଲ ଗୁଡିକୁ ମାଗଣା ସେବା ଯୋଗାଇଥାନ୍ତି । ଏଥି ପାଇଁ ତାଙ୍କୁ ଶାନ୍ତି ଲାଗିଥାଏ କି ସେ ସମାଜ ପାଇଁ ସେ କିଛି ତ କରିପାରୁଛନ୍ତି । କିନ୍ତୁ ନିଜ ସ୍ୱଳ୍ପ ଆୟରୁ ମଧ୍ୟ ସେ ଏପରି ଏକ ମହତ ସାମାଜିକ କାର୍ଯ୍ୟ ପ୍ରତି ଧ୍ୟାନ ଦେଇ ପାରୁଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.