ଦିବ୍ୟାଙ୍ଗ ହୋଇଥିଲେ ବି ପରିବାର ପ୍ରତିପୋଷଣ ପାଇଁ ଦିନ ରାତି କରୁଛନ୍ତି ସଂଘର୍ଷ

ପ୍ରଭାକର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ମାତ୍ର କଲେଜ ଯିବାର କିଛି ଦିନ ପରେ ଦୁଇଟି ଗୋଡ ଧିରେ ଧିରେ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା। ତ।ଙ୍କ ସ୍ୱପ୍ନର ପ୍ରଥମ ପାହଚରେ ପାଦ ଥାପୁ ଥାପୁ ତାଙ୍କ ସହ ଘଟିଗଲା ଏତେ ବଡ଼ ଅଘଟଣ । ପାଠପଢି ଚାକିରୀ କରିବା ଓ ବଡ ମଣିଷ ହେବା ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା ।

ବାଲେଶ୍ବର: ମନରେ ଅସୁମାରୀ ସ୍ୱପ୍ନ । କିଛି କରି ଦେଖାଇବାର ସାହସ ମଧ୍ୟ କିଛି କମ୍‌ ନୁହେଁ । କିନ୍ତୁ ସେହି ସ୍ୱପ୍ନରେ ବାଧକ ସାଜିଛି ପକ୍ଷାଘାତ । କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ଯ ପର୍ବତ ଲଙ୍ଘି ପାରେ । ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା ଗ୍ରାମର ପ୍ରଭାକର ରାଉଳ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସିଂଲା ଗ୍ରାମର ବାସିନ୍ଦା ହେଉଛନ୍ତି ପ୍ରଭାକର ରାଉଳ । ବାପା ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ତିନି ପୁଅଙ୍କ ମଧ୍ୟରୁ ମଝିଆଁ ପୁଅ ହେଉଛନ୍ତି ପ୍ରଭାକର । ପ୍ରଭାକର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ପରିବାରର ଆର୍ଥିକ ସମ୍ବଳ ନଥିବା ସତ୍ତ୍ୱେ ଭୋକ ଉପାସରେ ରହି ମାଟ୍ରିକ ପାସ କରିବା ପରେ ଜାମଶୂଳି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ରେ +୨ ରେ ଆଡମିସନ ହୋଇଥିଲେ । ମାତ୍ର କଲେଜ ଯିବାର କିଛି ଦିନ ପରେ ଦୁଇଟି ଗୋଡ ଧିରେ ଧିରେ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା। ତ।ଙ୍କ ସ୍ୱପ୍ନର ପ୍ରଥମ ପାହଚରେ ପାଦ ଥାପୁ ଥାପୁ ତାଙ୍କ ସହ ଘଟିଗଲା ଏତେ ବଡ଼ ଅଘଟଣ ।

ପରିବାରର ଆର୍ଥିକ ସମ୍ବଳ ନଥିବାରୁ ଚିକିତ୍ସିତ ହୋଇ ପାରିଲେନି ପ୍ରଭାକର । ଚଲା ବୁଲା କରିବା ତ ଦୂର ର କଥା ଘୋଷାରି ଘୋଷାରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ପଡିଲା । ବହୁ କଷ୍ଟରେ +୨ପାସ କରିବା ପରେ ପାଠପଢା ରେ ଡୋରି ବନ୍ଧା ହେଲା । ପାଠପଢି ଚାକିରୀ କରିବା ଓ ବଡ ମଣିଷ ହେବା ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା । ସାରା ଜୀବନ ବୂଢା ବାପା ମା’ଙ୍କ ଉପରେ ବୋଝ ନହୋଇ କଣ କରିବେ ଭାବି ଭାବି ଶେଷରେ ଗାଁ ର କିଛି ପିଲାଙ୍କୁ ଟ୍ୟୁସନ କରି ଯାହା ଅଳ୍ପ କିଛି ଅର୍ଥ ସଞ୍ଚୟ ହେଲା ସେହି ଅର୍ଥରେ ଘର ପାଖରେ ଛୋଟିଆ ପାନ ଦୋକାନ ଟିଏ କରିଛନ୍ତି । ସେଥିରୁ ଯାହା କିଛି ରୋଜଗାର ହୁଏ ବଡ଼ କଷ୍ଟରେ ଚଳିଥାଆନ୍ତି ପରିବାର । ଘର ପାଖରୁ ଦୋକାନ ପର୍ଯ୍ୟନ୍ତ ଯିବା ପାଇଁ କେତେବେଳେ ସାନ ଭାଇ କାନ୍ଧରେ ବୋହି ନେଇଯାନ୍ତି ତ କେତେବେଳେ ନିଜେ ଘୋଷାରି ଘୋଷାରି ହୋଇ ବହୂ କଷ୍ଟରେ ଯାଇଥାନ୍ତି।

ଏତିକିରେ ପ୍ରଭାକରଙ୍କ ଦୁଃଖ ସରିଲାନି ଯେ ବୋଝ ଉପରେ ନଳିତା ବିଡା ପଡିଲା ଭଳି ବାପା ପୂର୍ଣ୍ଣଚନ୍ଦ୍ର ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ପ୍ରଭାକରଙ୍କ ସ୍ବଳ୍ପ ରୋଜଗାରରେ ପରିବାର ଲୋକେ ଦୁଃଖେ କଷ୍ଟେ ଚଳି ଯାଉଛନ୍ତି । ମାତ୍ର ରହିବା ପାଇଁ ଘର ଖଣ୍ତିଏ ନଥିବାରୁ ଭଙ୍ଗା ଦଦରା ପଲିଥିନ ଘୋଡା ହୋଇଥିବା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ପ୍ରଭାକରଙ୍କ ସାହାରା କହିଲେ ଏଇ ପାନ ଦୋକାନ ଖଣ୍ଡିକ । ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ, ରହିବା ପାଇଁ ଆବାସ ଯୋଜନାରେ ପକ୍କାଘର ଏବଂ ବ୍ୟାଟ୍ରି ଚାଳିତ ସାଇକେଲଟିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । କେବଳ ଭିନ୍ନକ୍ଷମ ଭତ୍ତା ବ୍ୟତିତ କୌଣସି ସରକାରୀ ସହାୟତା ତାଙ୍କୁ ମିଳିନି, ତେଣୁ ତାଙ୍କୁ ଅନ୍ତଦୋୟ ଯୋଜନାରେ ଚାଉଳ,ଘର ଏବଂ ବ୍ଯାଟେରୀ ସାଇକେଲ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.