ଭାରତ ୨୩୭ ରନ୍ କଲେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଜିତିବ

ହାଇଦ୍ରାବାଦ : ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇବା ଲାଗି ଭାରତକୁ କରିବାକୁ ହେବ ୨୩୭ ରନ୍ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୭ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ୫୦ ଓଭରରେ କରିଛି ୨୩୬ ରନ୍ ।
ଏଠାକାର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ପ୍ରଥମେ ବ୍ୟାଟିଂ ନେଇଥିଲେ । ତେବେ ଯଶପ୍ରୀତ ବୁମରା ମ୍ୟାଚ୍ର ଦ୍ୱିତୀୟ ଓଭରରେ ଫିଞ୍ଚ୍ଙ୍କୁ ଧୋନିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ । ଫିଞ୍ଚ ଖାତା ଖୋଲି ପାରି ନଥିଲେ ଓ ତାଙ୍କ ଦଳ ସେତେବେଳେ ମାତ୍ର ୧ ରନ୍ କରିଥିଲା । ତେବେ ଏହା ପରେ ଉସମାନ୍ ଖ୍ଵାଜା ଓ ଷ୍ଟୋଇନିସ୍ ପାଳି ସମ୍ଭାଳି ନେଇଥିଲେ । ଖ୍ଵାଜା ୭୬ ବଲ୍ରେ ୫୦ (୫ ଚୌକା, ୧ ଛକା) ଓ ଷ୍ଟୋଇନିସ୍ ୩୭ ରନ୍ କରିଥିଲେ । ପରେ ମାକ୍ସେଓ୍ଵଲ ୪୦, ଆଲେକ୍ସ କାରେ ଅପରାଜିତ ୩୬ ରନ୍ (୩୭ ବଲ୍, ୫ ଚୌକା), କଲଟର ନିଲ୍ ୨୭ ବଲ୍ରୁ ୨୮ ରନ୍ କରିବା ଫଳରେ କଙ୍ଗାରୁ ଦଳ ୨୦୦ ରନ୍ ଅତିକ୍ରମ କରି ପାରିଥିଲା । ଏଠାରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଯୁବ ବ୍ୟାଟ୍ସମ୍ୟାନ୍ ଆଷ୍ଟନ୍ ଟର୍ଣ୍ଣର ୨୩ ବଲ୍ରୁ ୨୧ ରନ୍ କରିଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସାମି, ବୁମରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ବୁମରା ୨ଟି ଓ୍ଵିକେଟ୍ ଦଖଲ କରିଥିଲେ ମଧ୍ୟ ଓଭର ପିଛା ୬ ହାରରେ ୬୦ ରନ୍ ବ୍ୟୟ କରିଥିଲେ ।
ସ୍କୋର-ଅଷ୍ଟ୍ରେଲିଆ : ୨୩୬/୭, ୫୦ ଓଭର (ଉସମାନ ଖ୍ଵାଜା ୫୦, ଫିଞ୍ଚ ୦, ଷ୍ଟୋଇନିସ୍ ୩୭, ହାଣ୍ଡସ୍କମ୍ବ ୧୯, ମାକ୍ସେଓ୍ଵଲ ୪୦, ଟର୍ଣ୍ଣର୍ ୨୧, କାରେ ଅପରାଜିତ ୩୬, କଲଟର୍ ନିଲ ୨୮ । ସାମି ୨/୪୪, ବୁମରା ୨/୬୦, କୁଲଦୀପ ଯାଦବ ୨/୪୬) ।