ଭାରତ- ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ରେ ଖେଳିବେନି ଓ୍ଵାଶିଂଟନ୍‌ ସୁନ୍ଦର, ମାଂସପେଶୀ ଆଘାତ ଯୋଗୁ ନେବେ ବିଶ୍ରାମ

ଭାରତ -ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ଟିମ୍‌କୁ ଏକ ବଡ ଝଟ୍‌କା ମିଳିଛି। ଓ୍ଵାଶିଂଟନ୍‌ ସୁନ୍ଦରଙ୍କର ମାଂସପେଶୀ ଆଘାତ ପାଇଁ ସେ ବର୍ତ୍ତମାନ ଟି-୨୦ ମ୍ୟାଚ୍‌ରୁ ବାହାରେ ଅଛନ୍ତି। ସୂଚନା ଅନୁସାରେ ଓ୍ଵାଶିଂଟନ୍‌ ସୁନ୍ଦରଙ୍କୁ ମାଂସପେଶୀ ଆଘାତ (Hamstring Injury)ରୁ ସୁସ୍ଥ ହେବା ପାଇଁ ତିନି ସପ୍ତାହ ଲାଗିବ। ଫେବ୍ରୁଆରୀ ୧୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ କେଏଲ ରାହୁଲ ଓ ଅକ୍ଷର ପଟେଲ ଏହି ସିରିଜ୍‌ରୁ ବାହାରେ ଅଛନ୍ତି। କେଏଲ ରାହୁଲ ଓ ଅକ୍ଷର ପଟେଲଙ୍କ ବଦଳରେ ଋତୁରାଜ ଗାୟକଓ୍ଵାଡ ଓ ଦୀପକ ହୁଡ୍ଡା ଭାରତୀୟ ଟିମ୍‌ରେ ଖେଳିବାକୁ ଯାଉଛନ୍ତି। ଓ୍ଵାଶିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ କିଏ ଭାରତ ପାଇଁ ଖେଳିବ ତାହା ଏବେ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଭାରତ ଓ ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ। ଟି-୨୦ ମ୍ୟାଚ୍‌ର ସବୁଠୁ ଛୋଟ ଫର୍ମାଟ୍‌ରେ ୱେଷ୍ଟଇଣ୍ଡିଜକୁ ଶକ୍ତିଶାଳୀ ଟିମ୍‌ ବୋଲି କୁହାଯାଏ। ପୂର୍ବରୁ ଭାରତ ଓ୍ଵାନ୍‌ଡେ ସିରିଜ୍‌ ୩-୦ରେ ବିଜୟ ହାସଲ କରିସାରିଛି। ଆଗକୁ ଥିବା ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜର କିରନ୍‌ ପୋଲାର୍ଡ ଏଣ୍ଡ୍‌ କମ୍ପାନୀ ଭାରତ ଠାରୁ ନିଜର ପ୍ରତିଶୋଧ ନେବାକୁ ନିଶ୍ଚୟ ଚାହିଁବ।

ସନରାଇଜର୍ସ ହାଇଦ୍ରାବାଦ ଓ୍ଵାଶିଂଟନ୍‌ଙ୍କ ପ୍ରତିଭା ପାଇଁ ୨୦୨୨ ଆଇପିଏଲରେ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି। ହାଇଦ୍ରାବାଦର ଫ୍ରାଞ୍ଚାଇଜ୍‌ ଓ୍ଵାଶିଂଟନ୍‌ ସୁନ୍ଦରଙ୍କ ଉପରେ ୮.୭୫ କୋଟି ଖର୍ଚ୍ଚ କରିଛି। ଓ୍ଵାଶିଂଟନ୍‌ ସୁନ୍ଦର ଏହା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିଲେ। ମାର୍ଚ୍ଚ ମାସର ଶେଷ ସପ୍ତାହରେ ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଯାଉଛି। ଏଣୁ ଆଇପିଏଲ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଓ୍ଵାଶିଂଟନ୍‌ ସୁନ୍ଦର ସୁସ୍ଥ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.