Below header

ପୂର୍ବ କ୍ରିକେଟର ଅମ୍ବାତୀ ରାୟୁଡ଼ୁ ବୃଦ୍ଧ ବ୍ୟକ୍ତିଙ୍କୁ ରାସ୍ତା ମଝିରେ କଷି ଦେଇଥିଲେ ଚାପୁଡ଼ା, ଭିଡିଓ ଭାଇରାଲ ପରେ ଉପୁଜିଥିଲା ବିବାଦ

ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର ଅମ୍ବାତୀ ରାୟୁଡୁଙ୍କର ବିବାଦ ସହ ସମ୍ବନ୍ଧ ରହି ଆସିଛି। ଥରେ ଅମ୍ବାତୀ ସର୍ବସାଧାରଣ ସ୍ଥଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପିଟିଥିଲେ। ଟିମ୍‌ ଇଣ୍ଡିଆ ତରଫରୁ ଖେଳି ସାରିଥିବା ଏହି କ୍ରିକେଟର ଦ୍ରୁତ ଗତିରେ ଦିନେ କାର୍‌ ଚଲାଉଥିଲେ। ସେହି ସମୟରେ ସକାଳେ ମର୍ଣ୍ଣିଂ ଓ୍ଵାକ୍‌ରେ ବାହାରିଥିବା କିଛି ବରିଷ୍ଠ ନାଗରିକଙ୍କୁ ତାଙ୍କ କାର୍‌ ଧକ୍କା ଦେଇଥିଲା।

ଏଥିରେ ଜଣେ ବରିଷ୍ଠ ନାଗରିକ ବିରୋଧ କରିବାରୁ ଅମ୍ବାତୀ କାର୍‌ରୁ ବାହାରି ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ରାୟୁଡ଼ୁଙ୍କ ଏହି ଲଢ଼େଇର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଏହି ମାମଲା ୨୦୧୭ରେ ସାମ୍ନାକୁ ଆସିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ଶାନ୍ତ ରଖିଥିଲେ।

ପରେ ଏ ନେଇ ଅମ୍ବାତୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରାଯାଇଥିଲା। କୁହାଯାଏ କି, ଘଟଣାସ୍ଥଳରେ ଉପସ୍ଥିତ ବରିଷ୍ଠ ନାଗରିକମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ଅଭିଯୋଗ କରିଥିଲେ। ସେତେବେଳେ ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ସେଥିରେ ରାୟୁଡୁ ନିଜ ଦାମୀ କାର୍‌ ସହ ନଜର ଆସିଥିଲେ।

କହି ରଖୁଛୁ, ୨୦୧୬ରେ ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବି ଅମ୍ବାତୀ ଓ ହରଭଜନ ସିଂଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା। ରାଇଜିଂ ପୁନେ ସୁପରଜ୍ୟାଣ୍ଟସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ହରଭଜନ ସିଂଙ୍କ ବଲ୍‌ରେ ରାୟୁଡୁ ମିସ୍‌ଫିଲ୍ଡ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.