ଫିଫା ବିଶ୍ଵକପ୍: ସେମିଫାଇନାଲରେ କ୍ରୋଏସିଆକୁ ହରାଇ ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କଲା ଆର୍ଜେଣ୍ଟିନା

ଫିଫା ବିଶ୍ୱକପ୍‌ ଫାଇନାଲରେ ଆର୍ଜେଣ୍ଟିନା । ଗତକାଲି ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲରେ ହରାଇ ଫାଇନାଲ୍‌ ଟିକେଟ ହାତେଇଛି । ଏଥିସହ ୨୦୧୮ ବିଶ୍ୱକପ୍‌ ପରାଜୟର ବଦଲା ନେଇଛି ଆର୍ଜେଣ୍ଟିନା । ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଟ୍ରଫିଠାରୁ ଆଉ ପାଦେ ଦୂରରେ ରହିଛି ଆର୍ଜେଣ୍ଟିନା । ସେମି ଲଢ଼େଇର ପ୍ରତିଟି ମୂହୂର୍ତ୍ତ ଥିଲା ରୋମାଞ୍ଚକର । ମ୍ୟାଚର ପ୍ରଥମ ୩୪ ମିନିଟରେ ପେନାଲଟିକୁ ଗୋଲରେ ପରିଣତ କରିଥିଲେ ଆର୍ଜେଣ୍ଟିନା କ୍ୟାପଟେନ୍‌ ଲିଓନେଲ୍‌ ମେସୀ । ଏହାପରେ ୩୯ ମିନିଟରେ ଜୁଲିୟନ୍‌ ଗୋଲ୍‌ ଦେଇଥିଲେ ।

ଦ୍ୱିତୀୟାର୍ଦ୍ଧରେ କ୍ରୋଏସିଆ ଚମତ୍କାର ଖେଳିଥିଲେ ବି ଆର୍ଜେଣ୍ଟିନାର ବିଜୟ ପଥକୁ ଅଟକାଇ ପାରି ନଥିଲା । ୬୯ ମିନିଟରେ ମେସୀଙ୍କ ଏକ ପାସକୁ ଗୋଲରେ ପରିଣତ କରିଥିଲେ ଅଲଓ୍ଵାରେଜ୍‌ । ଏହି ବିଜୟ ସହ ଷଷ୍ଠ ଥର ବିଶ୍ୱକପ୍‌ ଫାଇନାଲକୁ ଯାଇଛି ଆର୍ଜେଣ୍ଟିନା । ତୃତୀୟ ଥର ବିଶ୍ୱକପ୍‌ ଜିତିବା ଲକ୍ଷ୍ୟ ରଖିଛି । ୩୬ ବର୍ଷ ଧରି ଟ୍ରଫି ଭୋକିଲା ଅଛି ଆର୍ଜେଣ୍ଟିନା । ଶେଷ ଥର ୧୯୮୬ରେ ଚାମ୍ପିୟନ ହୋଇଥିଲା । ତାପରେ ୧୯୩୦, ୧୯୯୦ ଓ ୨୦୧୪ରେ ରନର୍ସଅପ୍‌ ହୋଇଥିଲା ଆର୍ଜେଣ୍ଟିନା ।

ସେପଟେ ଆଜି ଦ୍ୱିତୀୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ ଓ ମରକ୍କୋ ଭିତରେ ମୁକାବିଲା ହେବ । ଫ୍ରାନ୍ସ ସପ୍ତମ ଥର ସେମି ଫାଇନାଲ୍‌ ଖେଳୁଛି । ମରକ୍କୋକୁ ହରାଇ ଚତୁର୍ଥ ଫାଇନାଲ ଯିବା ଲକ୍ଷ୍ୟ ରଖିଛି ଫ୍ରାନ୍ସ । ଅନ୍ୟପଟେ ମରକ୍କୋ ବି ଜବରଦସ୍ତ ଖେଳୁଛି । ଚଳିତ ବିଶ୍ୱକପରେ ମରକ୍କୋ ବିରୋଧରେ କୌଣସି ଦଳ ଗୋଲ ସ୍କୋର କରି ପାରି ନାହାନ୍ତି । ଆଜିର ବିଜୟୀ ଦଳ ୧୮ ତାରିଖରେ ଆର୍ଜେଣ୍ଟିନା ସହ ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.