ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍: ପୁରୁଷ ଏକକରେ କବିର ହନ୍ସ ଓ ମହିଳା ଏକକରେ ଋତୁପର୍ଣ୍ଣା ଚୌଧୁରୀ ବିଜୟୀ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ମେଣ୍ଡାଶାଲ ଗୁରୁକୁଲ ରିସର୍ଟରେ ୩ତାରିଖରୁ ଠାରୁ ଚାଲିଥିବା ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ ରବିବାର ଉଦଯାପିତ ହୋଇଯାଇଛି। ପୁରୁଷ ଏକକରେ କବିର ହନ୍ସ ବିଜୟୀ ହୋଇଛନ୍ତି। ପ୍ରତ୍ୟୁଷ ମହାନ୍ତିଙ୍କୁ ୬-୧, ୬-୨ରେ କବିର ହନ୍ସ ପରାସ୍ତ କରି ବିଜୟୀ ହୋଇଛନ୍ତି। ସେପଟେ ପୁରୁଷ ଯୁଗଳରେ କବିର ହନ୍ସ ଓ ପ୍ରତ୍ୟୁଷ ମହାନ୍ତି ଯୋଡି କୁମାର ଅନୁରାଗ ଓ ଆଦିତ୍ୟ ସତପଥୀ ଯୋଡ଼ିଙ୍କୁ ୬-୪, ୬-୦ ରେ ପରାସ୍ତ କରିଥିଲେ।

ଅନ୍ୟପଟେ ମହିଳା ଏକକରେ ଋତୁପର୍ଣ୍ଣା ଚୌଧୁରୀ ୭-୫,୬-୧ରେ ସିମରନ୍ ନେହା ଏକ୍କାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ୧୬ ବର୍ଷରୁ କମ ବାଳକ ଏକକରେ ଦେବାଶିଷ ସାହୁ ବିଜୟୀ ହୋଇଥିବା ବେଳେ ୧୬ ବର୍ଷରୁ କମ ବାଳିକା ଏକକରେ କ୍ରୀର୍ଷ୍ଣା ରାଜ୍ ବିଜୟୀ ହୋଇଛନ୍ତି। ଉଦଯାପନୀ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ଟେନିସ ଆସୋସିଏସନର ଉପ ସଭାପତି ତଥା ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଚ୍ୟାରମ୍ୟାନ୍ ସତ୍ୟଜିତ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ଟ୍ରଫି ସହ କ୍ୟାସ୍ ପ୍ରାଇଜ୍ ପ୍ରଦାନ କରିଥିଲେ।

୧,୭୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଷ ଏକକ ବର୍ଗରେ ବିଜୟୀ ଖେଳାଳିଙ୍କୁ ସର୍ବାଧିକ ୩୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଯାଇଛି। ସେହିଭଳି ଉପବିଜେତାଙ୍କୁ ୧୫,୦୦୦ ଟଙ୍କା ଦିଆଯାଇଛି। ପୁରୁଷ ଯୁଗଳ ବିଜେତାଙ୍କୁ ୨୦,୦୦୦ ଏବଂ ବାଳକ ଓ ବାଳିକା ବର୍ଗ ବିଜେତାଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।