ଦିଲ୍ଲୀ କ୍ୟାପିଟାଲ୍ସର ବଢିଲା ଚିନ୍ତା, ହସପିଟାଲରେ ଭର୍ତ୍ତି ହେଲେ ମିଶେଲ ମାର୍ଶ

ଆଇପିଏଲ୍‌ର ଚଳିତ ସିଜିନରେ କରୋନା ଏଣ୍ଟ୍ରି ମାରିଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ଶଙ୍କ ଆରଟି-ପିସିଆର ଟେଷ୍ଟ ପଜିଟିଭ ଆସିଛି। ମିଶେଲ ମାର୍ଶଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ମିଶେଲଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ସହଯୋଗୀ ଷ୍ଟାଫ ମଧ୍ୟ ପଜିଟିଭ ହୋଇଛନ୍ତି। ଯାହାଦ୍ୱାରା ଟିମରେ ସଂକ୍ରମିତଙ୍କ ସଂଖ୍ୟା ୪ ହୋଇଯାଇଛି।

ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କରୋନା ସଂକ୍ରମିତ ହୋଇଥିଲେ। ଏହାଛଡା ୨ ଜଣ ସହଯୋଗୀ ଷ୍ଟାଫ ମଧ୍ୟ ପଜିଟିଭ ହୋଇଥିଲେ। ଫଳରେ ଟିମରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ସ ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ବିସିସିଆଇ ଅଧିକାରୀଙ୍କ କହିବାନୁଯାୟୀ, ମାର୍ଶଙ୍କ ପ୍ରଥମ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଦ୍ୱିତୀୟ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଏପ୍ରିଲ ୨୦ରେ ପୁଣେରେ ପଞ୍ଜାବ କିଙ୍ଗ୍ ବିପକ୍ଷରେ ୬ଷ୍ଠ ମ୍ୟାଚ୍ ଖେଳିବ। କିନ୍ତୁ ଯଦି ସୋମବାର ଓ ମଙ୍ଗଳବାର ଯାଏଁ ଟିମ୍ ମୁମ୍ବାଇରେ ରହୁଛନ୍ତି ଓ ପୁଣେ ଯାଇପାରୁନାହାନ୍ତି, ତେବେ ଏଭଳି ସ୍ଥିତିରେ ମ୍ୟାଚ୍ ବି କ୍ୟାନ୍ସଲ ହୋଇପାରେ। ଏହି ମାମଲାରେ ଏବେ ବିସିସିଆଇର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ତେବେ ଦିଲ୍ଲୀ ପଞ୍ଜାବ କିଙ୍ଗସ ବିପକ୍ଷରେ ବୁଧବାର ହେବାକୁ ଥିବା ମ୍ୟାଚରେ ମାର୍ଶ ଖେଳିବେ କି ନାହିଁ, ତାହା ଜଣାପଡିନାହିଁ।