ପହିଲମାନ ହତ୍ୟା ମାମଲା: ପହିଲମାନ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାରି କଲା ଲୁକଆଉଟ ନୋଟିସ

ଜଣେ ପହିଲମାନଙ୍କ ମୃତ୍ୟୁ ପରଠୁ ଫେରାର ଥିବା ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଲୁକଆଉଟ ନୋଟିସ ଜାରି କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୋମବାର କହିଛନ୍ତି କି, ରବିବାର ବିଳମ୍ବିତ ରାତିରେ ନୋଟିସ ଜାରି କରାଯାଇଛି। ସୂଚନାଥାଉ କି, ଛାତ୍ରସାଲ ଷ୍ଟାଡିୟମରେ ଏକ ଝଗଡ଼ା ପରେ ଜଣେ ପହିଲମାନଙ୍କ ମୃତ୍ୟୁ ଘଟିଥିଲା। ଆଉ ଏହାପରେ ସୁଶୀଲ କୁମାର ଫେରାର ହୋଇଯାଇଥିଲେ। ମଡେଲ ଟାଉନ ଅଞ୍ଚଳରେ ଏକ ପ୍ଲଟ ଖାଲି କରିବାକୁ ନେଇ ଏହି ଝଗଡ଼ା ହୋଇଥିବା ପୋଲିସ କହିଛି।

ଏହି ମାମଲାରେ ସୁଶୀଲ କୁମାରଙ୍କ ନାଁରେ ଏତଲା ରହିଛି। ବର୍ତ୍ତମାନ ତାଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନସିଆର ଏବଂ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଜାରି ରହିଛି। ତେବେ ଘଟଣାରେ ପୋଲିସ ପୀଡ଼ିତଙ୍କର ବୟାନ ପୂର୍ବରୁ ହିଁ ରେକର୍ଡ କରି ନେଇଛି। ପୀଡ଼ିତ ଅଭିଯୋଗ ଆଣିଛନ୍ତି କି, ଯେତେବେଳେ ଝଗଡ଼ା ହୋଇଥିଲା, ସେହି ସମୟରେ ସୁଶୀଲ କୁମାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ସୂଚନାଥାଉ କି, ଗତ ମଙ୍ଗଳବାର ରାତିରେ ଛାତ୍ରସାଲ ଷ୍ଟାଡିୟମରେ ଝଗଡ଼ାରେ ୨୩ ବର୍ଷୀୟ ଜଣେ ପହିଲମାନଙ୍କ ମୃତ୍ୟୁ ହୋଇଥିଲା। ଷ୍ଟାଡିୟମରେ ତାଙ୍କୁ ଏବଂ ତାଙ୍କର ଦୁଇ ସାଙ୍ଗଙ୍କ ଉପରେ ଅନ୍ୟ ପହିଲମାନେ ବର୍ବର ଆକ୍ରମଣ କରିଥିଲେ। ପୋଲିସ ମୁତାବକ, ଏହି ଝଗଡ଼ାରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ ଓ ଅନ୍ୟମାନେ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦଲାଲଙ୍କୁ ଗିରଫ କରି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.