ପାକିସ୍ତାନ କ୍ରିକେଟ ବୋର୍ଡ ମୁଣ୍ଡ କାମ କରୁନି, ପ୍ରଥମ ଇମ୍ରାନ ଏବଂ ପରେ ଓ୍ଵାସିମ ଆକ୍ରମଙ୍କୁ ଭିଡିଓରୁ ହଟାଇଲା

୭୭ତମ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନର କ୍ରିକେଟ୍ ଇତିହାସକୁ ନେଇ ଏକ ଭିଡିଓ ଜାରି କରିଥିଲା ପିସିବି । ହେଲେ ଏଥିରେ ପୂର୍ବତନ ଅଧିନାୟକ ଇମ୍ରାନ ଖାନଙ୍କୁ ସାମିଲ କରିନଥିଲା । ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ସହିତ ଓ୍ଵାସିମ ଆକ୍ରମ ମଧ୍ୟ ନିନ୍ଦା କରିଥିଲେ । ପରେ ପାକିସ୍ତାନ ଓ୍ଵାସିମ ଆକ୍ରମଙ୍କୁ ମଧ୍ୟ ଭିଡିଓରୁ ହଟାଇଦେଲା ।

ସ୍ବାଧୀନତା ଦିବସରେ ନିଜ ପୂର୍ବତନ ଅଧିନାୟକଙ୍କୁ ଭୁଲିଗଲା ପାକିସ୍ତାନ କ୍ରିକେଟ ବୋର୍ଡ । ୧୯୯୨ ବିଶ୍ବକପ ଜିତାଇଥିବା ନିଜ କ୍ୟାପଟେନ ଇମ୍ରାନ ଖାନଙ୍କୁ ପାସୋରିଦେଲା । ନିକଟରେ ନିଜ ୭୭ତମ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନର କ୍ରିକେଟ୍ ଇତିହାସକୁ ନେଇ ଏକ ଭିଡିଓ ଜାରି କରିଥିଲା ପିସିବି । ଯେଉଁଠି ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମିଲ କରାଯାଇନାହିଁ । ଭିଡିଓଟି ଭାଇରଲ ହେବା ପରେ କ୍ରିକେଟ ପ୍ରେମୀ ନାପସନ୍ଦ କରିଥିଲେ । ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା । ଆଉ ଏହାପରେ ପିସିବି ଏହାକୁ ଡିଲିଟ କରିଥିଲା ।

୧୯୯୨ରେ ଇମ୍ରାନଙ୍କ କ୍ୟାପଟେନସିପରେ ବିଶ୍ବକପ ଜିତିଥିଲା ପାକିସ୍ତାନ କ୍ରିକେଟ ଦଳ । ୨ମିନିଟ ୨୧ ସେକେଣ୍ଡର ଏହି ଭିଡିଓରେ ୧୯୫୨ରେ ପାକିସ୍ତାନର କ୍ରିକେଟ ଡେବ୍ୟୁ ଠାରୁ ୧୯୯୨ରେ ବିଶ୍ବକପ ବିଜୟ ଓ ୨୦୨୨ ଟି-୨୦ ବିଶ୍ବକପ ଫାଇନାଲ ପର୍ଯ୍ୟନ୍ତ କାହାଣୀକୁ ଦର୍ଶାଯାଇଛି । ଭିଡିଓରେ କ୍ୟାପସନ ଦିଆଯାଇଛି ଇତିହାସ ରଚିବା କେବଳ ଗୋଟିଏ ଦିନର ଖେଳ ନୁହେଁ । ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ନାପସନ୍ଦ କରିଛନ୍ତି କ୍ରିକେଟ୍ ପ୍ରେମୀ ।

ବୁଧବାର ଟ୍ବିଟରରେ ଟ୍ରେଣ୍ଡ କରିଥିଲା #shameOnPCB । ୟୁଜର୍ସ ପାକିସ୍ତାନ କ୍ରିକେଟ ବୋର୍ଡକୁ ଜୋରଦାର ଟ୍ରୋଲ କରିଛନ୍ତି । ପିସିବିର ପୂର୍ବତନ ଅଧ୍ୟକ୍ଷ ଖାଲିଦ ମେହମୁଦ କହିଛନ୍ତି ପାକିସ୍ତାନ କ୍ରିକେଟରେ ଇମ୍ରାନଙ୍କ ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ । ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖବା ଅନୁଚିତ । ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଜେଲରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ତେବେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ପୂର୍ବତନ ବୋଲର ଓ୍ଵାସିମ ଆକ୍ରମ । ସେ ପିସିବିକୁ ଟ୍ଵିଟରରେ କ୍ଷମା ମାଗିବା ପାଇଁ କହିଥିଲେ । ପିସିବି ଏହା ପରେ ନୂଆ ଭିଡିଓ ପୋଷ୍ଟରୁ ଓ୍ଵାସିମ ଆକ୍ରମକୁ ଗାଏବ କରିଦେଇଛି । ପୂର୍ବରୁ ଏହି ଭିଡିଓରେ ଓ୍ଵାସିମ ଆକ୍ରମ ରହିଥିବା ବେଳେ ଏବେ ପୋଷ୍ଟ ହୋଇଥିବା ଭିଡିଓରେ ନାହାନ୍ତି । ଭିଡିଓରେ ଓ୍ଵାସିମ ଆକ୍ରମଙ୍କୁ ନ ଦେଖି ଫ୍ୟାନ୍ସ ପୁଣି ନିରାଶ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.