ମେଲବର୍ଣ୍ଣ ଟେଷ୍ଟ : ଅନ୍ତିମ ଦିନକୁ ଅପେକ୍ଷା, ଆଉ ୨ ଓ୍ଵିକେଟ୍ ନେଲେ ଜିତିବ ଭାରତ

ମେଲବର୍ଣ୍ଣ : ତୃତୀୟ ଟେଷ୍ଟରେ କଙ୍ଗାରୁକୁ ମାତ୍ ଦେଇ ପାରିନାହିିଁ ଟିମ୍ ଇଣ୍ଡିଆ । ମ୍ୟାଚ୍ ପଞ୍ଚମ ଦିନକୁ ଘୁଞ୍ଚିଛି । ଆଉ ୨ ଓ୍ଵିକେଟ୍ ବାକି ଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ୮ ଓ୍ଵିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରିଛି । ପ୍ୟାଟ୍ କମିନ୍ସ ଓ ନାଥନ୍ ଲିୟନ୍ ଭାରତର ବିଜୟପଥରେ ପ୍ରତିବନ୍ଧକ ସାଜିଛନ୍ତି ।
ଆଜି ଚତୁର୍ଥ ଦିବସରେ ଭାରତ ୮ ଓ୍ଵିକେଟ୍ରେ ୧୦୬ ରନ୍ କରି ପାଳି ଘୋଷଣା କରିଥିଲା । ମୟଙ୍କ ଅଗ୍ରଓ୍ଵାଲ ସର୍ବାଧିକ ୪୨ ରନ୍ (୪ ଚୌକା, ୨ ଛକା) ଓ ୠଷଭ ପନ୍ତ ୩୩ ରନ୍ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ସାମନାରେ ରହିଥିଲା ୩୯୯ ରନ୍ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ । ଏହାର ପିଛା କରୁଛି ଘରୋଇ ଦଳ । ଆଜିର ଖେଳ ଶେଷ ସୁଦ୍ଧା କମିନ୍ସ ୬୧ ଓ ଲିୟନ୍ ୬ ରନ୍ କରି ଖେଳୁଛନ୍ତି । ସନ୍ ମାର୍ଶ ୪୪, ଟ୍ରାଭିସ୍ ହେଡ୍ ୩୪ ରନ୍ କରିଛନ୍ତି । ଥିବା ବେଳେ ବୋଲିଂରେ କମାଲ ଦେଖାଇଥିବା ପ୍ୟାଟ୍ କମିନ୍ସ ବେଶ୍ କିଛି ସମୟ ଲଢ଼େଇ କରି ଭାରତର ବିଜୟକୁ ବିଳମ୍ବ କରିଥିଲେ ।
ଭାରତ ପ୍ରଥମ ଇନିଂସ୍ରେ ୭ ଓ୍ଵିକେଟ୍ରେ ୪୪୩ ରନ୍ କରି ପାଳି ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
ସ୍କୋର : ଭାରତ ପ୍ରଥମ ଇନିଂସ୍-୪୪୩/୭, ପାଳି ଘୋଷଣା । ଦ୍ୱିତୀୟ ଇନିଂସ୍-୧୦୬/୮, ପାଳି ଘୋଷଣା (ମୟଙ୍କ ଅଗ୍ରଓ୍ଵାଲ ୪୨, ୠଷଭ ପନ୍ତ ୩୩ । କମିନ୍ସ ୧୧-୩-୩୬-୬, ହାଜେଲ୍ଉଡ୍ ୧୦.୩- ୩-୨୨-୨) ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍-୧୫୧ । ଦ୍ୱିତୀୟ ଇନିଂସ୍-୨୫୮/୮, ୮୫ ଓଭର (ମାର୍ଶ ୪୪, ହେଡ୍ ୩୪, କମିନ୍ସ ଅପରାଜିତ ୬୧ । ବୁମରା ୧୭-୧-୫୩-୨, ଜାଡେଜା ୩୨-୬-୮୨-୩, ସାମି ୨୧-୨-୭୧-୨) ।