ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ମହାସମର: ବିସିସିଆଇର ଭରସାକୁ ବଜାୟ ରଖିବାକୁ ଶତ ଚେଷ୍ଟା କରିବେ ହାର୍ଦ୍ଦିକ ପାଣ୍ଡ୍ୟା

କେନ୍ୟୁଜ୍‌: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ସିରିଜ । ସେଥିପାଇଁ ଉଭୟ ଦଳ ପ୍ରସ୍ତୁତ । କିଏ ପିନ୍ଧିବ ବିଜୟ ଟିକା, ହାର୍ଦ୍ଦିକ ପଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଯୁବ ଟିମ୍ କିଓ୍ଵି ଦଳକୁ କେତେ ମାତ୍ରାରେ ଟକ୍କର ଦେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳର ବିଫଳତା ପରେ ଦଳ ଅନେକ ସମାଲୋଚନାର ଶିକାର ହୋଇଛି । ଆଉ ଖାସ୍‌ ଏଥିପାଇଁ ବିସିସିଆଇ ଏବେ ଅଲଗା ଅଲଗା ଫର୍ମାଟରେ ଅଲଗା ଅଲଗା ନେତୃତ୍ୱ ଦେବା ପାଇଁ ଯୋଜନା କରୁଛି । ସେଥିପାଇଁ ଭାରତୀୟ ଦଳ ଆଗଧାଡ଼ିର ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଆଉ ନ୍ୟୁଜିଲାଣ୍ଡ ସିରିଜ ପାଇଁ କିଛି ନୂଆ ଯୁବ ଚେହେରାଙ୍କୁ ସୁଯୋଗ ଦେଇଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ। ଆଉ ବିସିସିଆଇ ପାଣ୍ଡ୍ୟାଙ୍କ ଉପରେ ଭରସା ମଧ୍ୟ ଦେଖାଇଛି। ଏହି ସିରିଜରେ ପାଣ୍ଡ୍ୟାଙ୍କ ପାଇଁ ମଧ୍ୟ ନିଜକୁ ପ୍ରମାଣିତ କରିବାର ଏକ ସୁଯୋଗ ରହିବ ।

ନ୍ୟୁଜିଲାଣ୍ଡ ଏହି ସିରିଜ ପାଇଁ ଟିମରେ ସାମାନ୍ୟ ଅଦଳ ବଦଳ କରିଛି । ନ୍ୟୁଜିଲାଣ୍ଡ ଟ୍ରେଣ୍ଟ ବୋଲ୍ଟ ଏବଂ ମାର୍ଟିନ୍ ଗପ୍ଟିଲଙ୍କୁ ସ୍ଥାନ ଦେଇନାହିଁ । ଫିନ୍ ଏଲେନଙ୍କ ଅଷ୍ଟ୍ରେଲିଆ ପିପକ୍ଷରେ ୨୪ ବଲରେ ୪୨ରନର ବିସ୍ଫୋରକ ପାଳି ପରେ ଏଥର ପୁଣି ଦଳ ତାଙ୍କ ଉପରେ ଭରସା କରିଛି । ଚଳିତ ବର୍ଷର ଭଲ ପ୍ରଦର୍ଶନ ପାଇଁ ଗ୍ଲେନ୍ ଫିଲିପ୍ସଙ୍କୁ ଦଳ ସ୍ଥାନ ଦେଇଛି । ସେ ୪୬.୪୨ ହାରରେ ୧୫୫.୧୩ ଷ୍ଟ୍ରାଇକ୍ ରେଟ୍ ରେ ମୋଟ ୬୫୦ ରନ କରିଛନ୍ତି । ଦଳ ତାଙ୍କ ଉପରେ ପୁଣି ଭରସା କରିଛି । ଡେବନ୍ କନେଓ୍ଵଙ୍କ ପ୍ରଦର୍ଶନ ବି ଭଲ ରହିଛି । ସେ ୪୮.୪୦ ହାରରେ ୪୮୪ ରନ କରି ନିଜର ସ୍ଥାନକୁ ବଜାଇ ରଖିଛନ୍ତି । ସେହିପରି ଫିନ୍ ଆଲେନ ବି ଭଲ ଷ୍ଟ୍ରାଇକ୍ ରେଟରେ ଅଛନ୍ତି । ସେ ୧୫୭.୫୨ ଷ୍ଟ୍ରାଇକ୍ ରେଟରେ ୪୦୮ କରିଛନ୍ତି । ନ୍ୟୁଜିଲାଣ୍ଡ ଏଥର ସ୍ପିନର ଇଶ୍ ସୋଢ଼ୀ ଉପରେ ଭରସା କରିଛି । ଏହି ବର୍ଷ ଟି-୨୦ କ୍ରିକେଟରେ ୨୦ ମ୍ୟାଚରେ ୨୬ ଟି ଓ୍ଵିକେଟ୍ ନେଇ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡର ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ବ୍ଲେଆର ଟିକ୍ନରଙ୍କ ଅନୁପସ୍ଥିତିରେ ଟିମ୍ ସାଉଦି, ଆଡାମ୍ ମିଲ୍ନେ, ଲକି ଫର୍ଗୁସନଙ୍କ ପରି ଘାତକ ବୋଲର ଭାରତୀୟ ବ୍ୟାଟରଙ୍କ ସହିତ କଡ଼ା ମୁକାବିଲା କରିବ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ କହିବାକୁ ଗଲେ ଭାରତୀୟ ଦଳ ପୁରା ନୂଆ ରୂପରେ ମଇଦାନକୁ ଓହ୍ଲାଇବ । ଟିମ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ନ୍ୟୁଜିଲାଣ୍ଡ ସହିତ ପୁରା ସିରିଜ ଖେଳିବ । ବିସିସିଆଇ ପାଣ୍ଡ୍ୟାଙ୍କୁ ଟି-୨୦ ରେଗୁଲାର ଟିମରେ ନେତୃତ୍ୱ ଦେବା ପାଇ ଯୋଜନା କରୁଛି । ଏହି ସିରିଜ ପାଣ୍ଡ୍ୟାଙ୍କ ପାଇଁ ଏକ ପରୀକ୍ଷା । ନ୍ୟୁଜିଲାଣ୍ଡରେ ପୁରା ୩ଟି ଯାକ ଟି-୨୦ ମ୍ୟାଚ ଖେଳିବ ଭାରତ । ଶୁଭମନ ଗିଲ୍, ଇଶାନ କିଷନ, ସଞ୍ଜୁ ସାମ୍ସନ ଏବଂ ଶ୍ରେୟସ ଆୟରଙ୍କ ପରି ଯୁବ ତାରକାଙ୍କୁ ନେଇ ପାଣ୍ଡ୍ୟା ନିଜର ନେତୃତ୍ୱର ପରୀକ୍ଷା ଦେବାକୁ ଚାହୁଁଛନ୍ତି । ଚଳିତ ବର୍ଷ ସବୁବେଳେ ମଧ୍ୟକ୍ରମରେ ଭଲ ଖେଳି ଆସିଥିବା ସୂର୍ଯ୍ୟ କୁମାରଙ୍କୁ ମଧ୍ୟ ଦଳ ସୁଯୋଗ ଦେଇଛି । ଦୀପକ ହୁଡା ମଧ୍ୟ ନିଜର ଭଲ ଫର୍ମ ପାଇଁ ଦଳରେ ସାମିଲ ହୋଇଛନ୍ତି । କେବଳ ବାକି ରହିଲା ଏହି ଯୁବ ତାରକା ବିଦେଶ ମାଟିରେ କେମିତି ପ୍ରଦର୍ଶନ କରୁଛନ୍ତି । ଘରୋଇ ପିଚରେ ପ୍ରଥମ ମ୍ୟାଚର ବିଜୟ ସମ୍ଭାବନା ନ୍ୟୁଜିଲାଣ୍ଡ ପାଖରେ ରହିବ ।

କାହାର ପଲା କେତେ ଭାରି:

ଯଦି ପୂର୍ବ ମୁକାବିଲାକୁ ଦେଖାଯାଏ ଭାରତ ଟି-୨୦ ରେ ୨୦ଟି ମ୍ୟାଚରୁ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରେ ଏବଂ ଭାରତ ୯ଟି ମ୍ୟାଚରେ ବିଜୟୀ ହୋଇଛି । ଅନ୍ୟ ୨ଟି ମ୍ୟାଚ ଟାଇ ହୋଇଛି । ଆଗାମୀ ମ୍ୟାଚ୍‌ ଦୁଇ ଜଣ ପାଇଁ ଟକ୍କର ହେବ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୫ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଆଉ ଏହିସବୁ ମ୍ୟାଚରେ ନ୍ୟୁଜିଲାଣ୍ଡ ୪୯ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତ ୫୫ଟି ମ୍ୟାଚ୍‌ ଜିତିଛି ।

ଭାରତ ସମ୍ଭାବ୍ୟ ଦଳ: ଶୁଭମନ ଗିଲ, ଇଶାନ କିଷନ, ଶ୍ରେୟସ ଆୟାର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଷଭ ପନ୍ଥ (ଓ୍ଵିକେଟ କିପର), ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ:
ଫିନ୍‌ ଆଲେନ, ଡେବନ କନଓ୍ଵ, କେନ୍‌ ଓ୍ଵିଲିଅମସନ୍‌ (ଅଧିନାୟକ), ଗ୍ଲେନ୍‌ ଫିଲିପ୍‌ସ, ଡେରି ମିଚେଲ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଲକି ଫର୍ଗୁସନ, ଟିମ୍‌ ସାଉଦି, ଇଷ୍‌ ସୋଢ଼ୀ ଏବଂ ଆଡାମ୍‌ ମିଲ୍‌ନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.