ଆଫଗାନ୍ ବୋଲରଙ୍କୁ ମାରିକି ଛତୁ କରିଦେଲେ ରୋହିତ ଓ ରାହୁଲ
ଦୁବାଇ : ବୋଧହୁଏ ପ୍ରଥମ ଦୁଇ ମ୍ୟାଚ୍ର ପରାଜୟର ରାଗକୁ ଆଜି ଶୁଝାଇଛି ଭାରତୀୟ ଦଳ । ଟି୨୦ ବିଶ୍ୱ କପ୍ ରେ ଆଜି ଟିମ୍ ଇଣ୍ଡିଆର ଦୁଇ ଓପ୍ନର ଆଫଗାନିସ୍ତାନ ବୋଲରଙ୍କୁ ଏମିତି ଧୁଲେଇ କଲେ ଯେ ସମସ୍ତଙ୍କୁ ସ୍ତବ୍ଧ କରି ଦେଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ ୨୧୦ ରନ୍ ସ୍କୋର କରିଛି । ମ୍ୟାଚ୍ ଜିତିବାକୁ ଆଫଗାନିସ୍ତାନକୁ ୨୧୧ ରନ୍ କରିବାକୁ ହେବ ।
ଆଫଗାନିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା । ଓପ୍ନର ରୋହିତ ଶର୍ମା ଓ କେଏଲ୍ ରାହୁଲ ଆରମ୍ଭରୁ ଆଟାକ୍ କରି ୧୪.୪ ଓଭରରେ ୧୪୦ ରନ୍ ସଂଗ୍ରହ କରିଥିଲେ । ରୋହିତ ମାତ୍ର ୪୭ ବଲ୍ ଖେଳି ୭୪ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୮ଟି ଚୌକା ଓ ୩ଟି ଛକା ସାମିଲ ଥିଲା । ଏହା ପରେ ରାହୁଲ ୪୮ ବଲ୍ରୁ ୬୯ ରନ୍ (୬ ଚୌକା, ୨ ଛକା) କରି ଆଉଟ୍ ହୋଇଥିଲେ ।
ଓପନିଂ ଯୋଡ଼ି ଭାଙ୍ଗିବା ପରେ ଶେଷ ଭାଗରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜୋରଦାର ବ୍ୟାଟିଂ ଜାରି ରଖିଥିଲେ । ସେମାନେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ପାଣ୍ଡ୍ୟା ୧୩ ବଲ୍ରେ ୩୫ ରନ୍ (୪ ଚୌକା, ୨ ଛକା) ଏବଂ ପନ୍ତ ୧୩ ବଲ୍ରେ ୨୭ ରନ୍ (୧ ଚୌକା, ୩ ଛକା) କରିଛନ୍ତି ।
ସୂଚନା ଥାଉ କି ଟୁର୍ଣ୍ଣାମେଣ୍ଟରେ ରହିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ନିହାତି ଭାବେ ଜିତିବା ଜରୁରୀ । ତା ସହିତ ଭଲ ରନ୍ ରେଟ୍ ମଧ୍ୟ ରଖିବା ଦରକାର ।