ଫଇସଲା ଆଡ଼କୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ
ଇଶାନ୍ତଙ୍କ ଅଶାନ୍ତ ବୋଲିଂ, ଇଂଲଣ୍ଡ ୧୮୦ରେ ଅଲ୍ଆଉଟ୍ : ଭାରତ ଆଗରେ ଟାର୍ଗେଟ୍ ୧୯୪

ବର୍ମିଂହମ୍ : ଫଇସଲା ଆଡ଼କୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ଆଜି ତୃତୀୟ ଦିନରେ ମ୍ୟାଚ୍ର ୩ଟି ଇନିଂସ୍ ଶେଷ ହୋଇ ଯାଇଛି । ଏବେ ୧୯୪ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳୁଛି ଟିମ୍ ଇଣ୍ଡିଆ । ପ୍ରଥମ ପାଳିରେ ମାତ୍ର ୧୩ ରନ୍ରେ ଆଗୁଆ ଥିବା ଘରୋଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସ୍ରେ ୧୮୦ ରନ୍ କରି ଅଲଆଉଟ୍ ହୋଇଛି । ପେସ୍ ବୋଲର ଇଶାନ୍ତ ଶର୍ମା ୫୧ ରନ୍ ୟରେ ୫ ଓ୍ଵିକେଟ୍ ନେଇ ଘରୋଇ ଦଳର ବିପର୍ୟ୍ୟୟ ଘଟାଇଛନ୍ତି । ସ୍ପିନର ଆର୍. ଅଶ୍ୱିନ୍ ୩ ଏବଂ ପେସ୍ ବୋଲର ଉମେଶ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । ପ୍ରଥମେ ସ୍ପିନର ଅଶ୍ୱିନ୍ ଓ ପରେ ପେସ୍ ବୋଲର ଇଶାନ୍ତ ଶର୍ମାଙ୍କ ଘାତକ ବୋଲିଂର ଶିକାର ହୋଇଥିଲା । ଅଶ୍ୱିନ୍ ପ୍ରଥମ ୩ଟି ଓ୍ଵିକେଟ୍ ଖସାଇ ଦେଇଥିଲେ । ତା ପରେ ଇଶାନ୍ତ ଗୋଟିଏ ଓଭରରେ ୩ ଓ୍ଵିକେଟ୍ ନେଇ ଘରୋଇ ଦଳର ବଡ଼ ବିପର୍ୟ୍ୟୟ ଘଟାଇଥିଲେ । ସେ ଲଞ୍ଚ ପୂର୍ବରୁ ୩୧ତମ ଓଭର୍ର ଦ୍ୱିତୀୟ ବଲ୍ରେ ବାରିଷ୍ଟୋ, ଚତୁର୍ଥ ବଲ୍ରେ ବେନ ଷ୍ଟୋକ୍ସଙ୍କୁ ଆଉଟ୍ କରିଥିଲେ । ଏହା ପରେ ଲଞ୍ଚ ହୋଇ ଯାଇଥିଲା ।
ଲଞ୍ଚ ପରେ ଓଭରର ଶେଷ ବଲ୍ରେ ଜୋସ୍ ବଟଲରଙ୍କୁ ଓ୍ଵିକେଟ୍ ପଛରେ କ୍ୟାଚଆଉଟ୍ କରି ଦେଇଥିଲେ । ପୂର୍ବରୁ ଅଶ୍ୱିନ୍ ଓପ୍ନର କୁକ୍ ଓ ଜେନିଂସଙ୍କୁ ଏବଂ ଅଧିନାୟକ ଜଏ ରୁଟ୍ଙ୍କୁ ପାଭିଲିଆନ୍ ଫେରାଇ ଦେଇଥିଲେ । ତେବେ ବୋଲର୍ ସାମୁଏଲ୍ କୁରାନ୍ ୬୫ ବଲ୍ରୁ ୬୩ ରନ୍ କରିବା ଫଳରେ ଇଂଳଣ୍ଡ ୧୮୦ ରନ୍ରେ ପହଞ୍ଚି ପାରିଥିଲା । ପୂର୍ବରୁ ଗୁରୁବାର ଦିନ ଅଧିନାୟକ ବିରାଟଙ୍କ ଦମଦାର ଶତକ ସହାୟତାରେ ଭାରତ ପ୍ରଥମ ପାଳିରେ ୨୭୪ ରନ୍ କରିଥିଲା । ଗୋଟିଏ ପଟେ ଅଳ୍ପ ରନ୍ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍ ପଡ଼ି ଚାଲିଥିବା ବେଳେ ବିରାଟ ଏକାକୀ ଲଢ଼େଇ କରି ୨୨ଟି ଚୌକା ସହାୟତାରେ ୧୪୯ ରନ୍ କରିଥିଲେ । ସେ ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ଭାରତ କରିଥିଲା ୧୭୪ ରନ୍ । ପରେ ଦ୍ୱିତୀୟ ପାଳି ଆରମ୍ଭ କରି ଇଂଲଣ୍ଡ ଦଳ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍ରେ ୯ ରନ୍ କରିଥିଲା । ଏଜବାଷ୍ଟନ୍ ଟେଷ୍ଟ ହେଉଛି ଇଂଲଣ୍ଡର ୧ ହଜାରତମ ଟେଷ୍ଟ ମ୍ୟାଚ୍ ।