ଢାକା: ଇଶାନ କିସାନ ଧୋଇ ଦେଲେ ବାଂଲା ବୋଲରଙ୍କୁ, ଦ୍ରୁତତମ ଦ୍ୱିଶତକରେ କଲେ ବିଶ୍ୱ ରେକର୍ଡ଼; ବାଂଲାଦେଶ ଆଗରେ ୪୧୦ ରନ୍‌ର ବିଜୟ ଲକ୍ଷ୍ୟ

ଢାକା : ଯୁବ ଓପନର ଇଶାନ କିସାନଙ୍କ ବିଶ୍ୱ ରେକର୍ଡ଼ ଦ୍ୱିଶତକ ଏବଂ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୪୦୯ ରନ୍‌ କରିଛି । ଫଳରେ ବାଂଲାଦେଶ ଆଗରେ ରହିଛି ୪୧୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ । ଚଟ୍ଟଗ୍ରାମ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଉଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ଭାରତର ଯୁବ ଓପନର ଇଶାନ କିଶାନ ଯେଉଁ ଉଗ୍ର ରୂପ ଦେଖାଇଲେ ତାଙ୍କ ଆଗରେ ସବୁ ବାଂଲା ବୋଲର ତ୍ରାହି ତ୍ରାହି ଡାକିଲେ । କେମିତି ତାଙ୍କ ଠାରୁ ରକ୍ଷା ପାଇବେ ପ୍ରମାଦ ଗଣିଲେ । ହେଲେ ଡବଲ ସେଞ୍ଚୁରୀ ମାରିବା ଯାଏ ଇଶାନ କିସାନ କାହାକୁ ବି ଛାଡ଼ି ନ ଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ଓପନର ତଥା ଅଧିନାୟକ ଶିଖର ଧବନଙ୍କୁ ମାତ୍ର ୧୫ ରନ୍‌ରେ ହରାଇଥିଲା । ଧବନ ୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ପରେ ଯୋଡ଼ି ଆରମ୍ଭ ହେଲା ଇଶାନ କିସାନ ଓ ବିରାଟ କୋହଲିଙ୍କର । ବିରାଟ ପୂରା ସାଥ ଦେଇ ସହଯୋଗ ଦେଲେ ଆଉ ଏହି ଯୁବ ବ୍ୟାଟର ଫୁଲ୍‌ ଦମ୍‌ରେ ବାଂଲା ବୋଲରଙ୍କୁ ପ୍ରହାର କରି ଚାଲିଲେ । ସେ ୮୫ ବଲ୍‌ରେ ନିଜ ଦିନିକିଆ କ୍ରିକେଟ୍‌ର ପ୍ରଥମ ଶତକ ହାସଲ କରିବା ପରେ ୧୨୬ ବଲ୍‌ରେ ଦ୍ୱିଶତକ ହାସଲ କରିଥିଲେ । ୧୩୧ ବଲ୍‌ରେ ୨୧୦ ରନ୍‌ କରିବା ପରେ ଟସ୍କିନ ଅହମଦଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଇଶାନ କିସାନ ତାଙ୍କ ଇନିଂସ୍‌ ମଧ୍ୟରେ ୧୪ଟି ଚୌକା ଓ ୧୦ଟି ଛକା ମାରିଥିଲେ । ଏହା ସହିତ ଦ୍ୱିତୀୟ ଓ୍ଵିକେଟ୍‌ରେ କୋହଲିଙ୍କ ସହ ତାଙ୍କର ୨୯୦ ରନ୍‌ର ଭାଗିଦାରୀ ହୋଇଥିଲା । ଯାହା ଏକ ରେକର୍ଡ଼ ମଧ୍ୟ ।

ଇଶାନ୍‌ କିସାନଙ୍କ ବିଶ୍ୱ ରେକର୍ଡ଼

ଆଜି ଇଶାନ କିସାନ ଆରମ୍ଭରୁ ଧୂଆଁଧାର ବ୍ୟାଟଂ କରିଥିଲେ । କୌଣସି ବାଂଲା ବୋଲର ତାଙ୍କ ଉପରେ ପ୍ରଭାବ ପକାଇ ପାରି ନ ଥିଲେ । ସେ ୧୨୬ ବଲ୍‌ରେ ୨୦୦ ରନ୍‌ କରି ଦ୍ରୁତତମ ଦ୍ୱିଶତକ କରିବାର ବିଶ୍ୱ ରେକର୍ଡ଼ କରିଛନ୍ତି । ଏହି କ୍ରମରେ ସେ ୧୨ ବର୍ଷର ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ପୂର୍ବରୁ ୨୦୧୫ରେ େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ଜିମ୍ବେଓ୍ଵ ବିପକ୍ଷରେ ୧୩୮ ବଲ୍‌ରେ ଦ୍ୱିଶତକ ହାସଲ କରିଥିଲେ । ଯାହାକୁ ଆଜି ୨୪ ବର୍ଷ ବୟସ୍କ ଇଶାନ କିସାନ ଭାଙ୍ଗିଛନ୍ତି ।

ଏପଟେ କୋହଲି ଆରାମରେ ବ୍ୟାଟିଂ କରି ଚାଲିଥିଲେ ଏବଂ ଶେଷ ଭାଗରେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ୯୧ ବଲ୍‌ରେ ୧୧୩ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଏଥିରେ ରହିଛି ୧୧ଟି ଚୌକା ଓ ୨ଟି ଛକା ।

ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଦେଇଥିଲା । ଅବଶ୍ୟ ଏହି ମ୍ୟାଚ୍‌ରେ ଜୟ ପରାଜୟ ଘରୋଇ ବାଂଲାଦେଶ ପାଇଁ କିଛି ଫରକ ପଡ଼ିବ ନାହିଁ । କାରଣ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ବାଂଲାଦେଶ ସିରିଜ୍‌ ବିଜୟୀ ହୋଇ ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.