ଏସିଆ କପ୍‌ ଫାଇନାଲରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚର ପୁରସ୍କାର ରାଶିକୁ ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କଲେ ମହମ୍ମଦ ସିରାଜ

କେବଳ ବୋଲିଂ ନୁହେଁ ବରଂ ପୁରସ୍କାର ରାଶିଙ୍କୁ ଶ୍ରୀଲଙ୍କା ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କରି ସମସ୍ତଙ୍କ ମନ ଜିତିଲେ ମହମ୍ମଦ ସିରାଜ । ଏସିଆ କପ୍‌ ଫାଇନାଲ ଭାରତ ଜିତିବା ପରେ ମ୍ୟାନ ଅଫ ଦ ମ୍ୟାଚ୍‌ର ପୁରସ୍କାର ରାଶିଙ୍କୁ ଶ୍ରୀଲଙ୍କାର ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କଲେ ସିରାଜ ।

ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି ଟିମ ଇଣ୍ଡିଆ । ଭାରତର ଦମଦାର ବୋଲିଂ ଆଗରେ ଫିକା ପଡିଥିଲା ଶ୍ରୀଲଙ୍କାର ବ୍ୟାଟିଂ । ମାତ୍ର ୫୦ ରନ୍‌ କରି ଶ୍ରୀଲଙ୍କା ଟିମ୍‌ ଅଲଆଉଟ ହୋଇଯାଇଥିଲା । ଆଉ ଏହି ବିଜୟର ପ୍ରମୁଖ ହିରୋ ଥିଲେ ମହମ୍ମଦ ସିରାଜ । ସିରାଜ ୬ଟି ଓ୍ଵିକେଟ ନେଇ ଶ୍ରୀଲଙ୍କା ଟିମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସିରାଜଙ୍କ ଏଭଳି ପ୍ରଦର୍ଶନ ଯୋଗୁଁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା । ଆଉ ଏହି ପୁରସ୍କାର ମିଳିବା ପରେ ସିରାଜ ଏହାକୁ ଗ୍ରାଉଣ୍ଡ ଷ୍ଟାଫକୁ ପ୍ରଦାନ କରି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ହେଲେ ସିରାଜଙ୍କ ବୋଲିଂ ଆଗରେ ସବୁ ଫିକା ପଡିଯାଇଥିଲା । ୭ ଓଭର ବୋଲିଂ କରି ସେ ମାତ୍ର ୨୧ ରନ୍ ଖର୍ଚ୍ଚ କରିଥିବା ବେଳେ ଶ୍ରୀଲଙ୍କାର ୬ଟି ୱିକେଟ ଅକ୍ତିଆର କରିଥିଲେ ସିରାଜ । ତେଣୁ ତାଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ଆଓ୍ଵାର୍ଡ ମିଳିଥିଲା । ଆଉ ଏହି ଆଓ୍ଵାର୍ଡରେ ମିଳିଥିବା ପୁରସ୍କାର ରାଶିକୁ ସେ ତୁରନ୍ତ ଶ୍ରୀଲଙ୍କାର ସମସ୍ତ ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କରିଥିଲେ । ଏସିଆ କପ୍-୨୦୨୩ ସମ୍ଭବ ହେବାରେ ଶ୍ରୀଲଙ୍କାର ଗ୍ରାଉଣ୍ଡଷ୍ଟାଫ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମର ସମ୍ମାନ କରି ସିରାଜ ଏପରି ନିଷ୍ପତ୍ତି ନେଇଥିଲେ ।

ଏହାକୁ ନେଇ ସିରାଜ କହିଥିଲେ, ଏ ଟୁର୍ଣ୍ଣାମେଣ୍ଟ ଗ୍ରାଉଣ୍ଡଷ୍ଟାଫଙ୍କ କଠିନ ପରିଶ୍ରମ ଯୋଗୁଁ ସଫଳ ହୋଇଛି । ଏହି ପୁରସ୍କାର ରାଶିର ପ୍ରକୃତ ହକଦାର ସେମାନେ । ଆଉ ମୁଁ ନିଜର ପୁରସ୍କାର ରାଶିଙ୍କୁ ସେମାନଙ୍କୁ ପ୍ରଦାନ କରୁଛି ।
ଏହାପୂର୍ବରୁ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ରାଣ୍ଡଷ୍ଟାଫମାନଙ୍କୁ ୫୦ ହଜାର ଡଲାର ପ୍ରଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି । ପୂର୍ବରୁ ରୋହିତ ଏବଂ ବିରାଟ କୋହଲି ମଧ୍ୟ ଏଭଳି ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ବିପକ୍ଷ ଭାରତ ଏବଂ ବିରାଟଙ୍କୁ ଏହି ମ୍ୟାଚରେ ମିଳିଥିବା ସମସ୍ତ ମ୍ୟାଚ ଫି ଗ୍ରାଉଣ୍ଡଷ୍ଟାଫଙ୍କୁ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.