Below header

ଶ୍ରୀଲଙ୍କାକୁ ହରାଇ ବିଶ୍ୱକପ୍‌ ସେମିଫାଇନାଲ ପାଇଁ ଦୃଢ଼ ଦାବି ସୃଷ୍ଟି କଲା ନ୍ୟୁଜିଲାଣ୍ଡ, ତଥାପି ସ୍ପଷ୍ଟ ନୁହେଁ ଚତୁର୍ଥ ସେମି ସ୍ପଟ୍‌

ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ହରାଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ଆଉ ଚତୁର୍ଥ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିବାର ଦୃଢ଼ ଦାବିଦାର ହୋଇଛି ।

ବେଙ୍ଗଲୁରୁ : ମ୍ୟାଚ୍‌ ପୂର୍ବରୁ ଟେନସନ୍‌ ଥିଲା । କାରଣ ଜିତିଲେ ହିଁ ସେମିଫାଇନାଲ ଯିବ । ହେଲେ ଏତେ ସହଜ ହେବ ବୋଲି ଭାବିନଥିଲା ନ୍ୟୁଜିଲାଣ୍ଡ ଦଳ । ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ହରାଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ଆଉ ଚତୁର୍ଥ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିବାର ଦୃଢ଼ ଦାବିଦାର ହୋଇଛି । ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭେଟି ପାରେ ଆୟୋଜକ ଭାରତକୁ ।

ପାକିସ୍ତାନ କଣ କଲେ ସେମିରେ ପହଞ୍ଚିବ

ତେବେ ନ୍ୟୁଜିଲାଣ୍ଡର ଏହି ବିଜୟ ଯୋଗୁଁ ପାକସ୍ତାନ ଓ ଆଫଗାନିସ୍ତାନକୁ ବଡ଼ ଝଟକା ଲାଗିଛି । କାରଣ ନ୍ୟୁଜିଲାଣ୍ଡ ହାରିଥିଲେ ସେମାନଙ୍କର ସେମିଫାଇନାଲ ଆଶା ବଢ଼ିଥାନ୍ତା । ତଥାପି ପାକିସ୍ତାନ ହାତରେ ସୁଯୋଗ ରହିଛି । ଯଦି ତାର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ଦଳ ଇଂଲଣ୍ଡକୁ ୨୮୭ ରନ୍‌ ବ୍ୟବଧାନରେ ହରାଏ ତେବେ ପଏଣ୍ଟରେ ନ୍ୟୁଜିଲାଣ୍ଡ ସହିତ ସମକକ୍ଷ ହୋଇ ରନ୍‌ ହାରରେ ତାକୁ ଟପି ସେମିଫାଇନାଲରେ ପହଞ୍ଚିବ । ଆଉ ସେମିଫାଇନାଲରେ ତାର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଭେଟି ପାରିବ ।

ଶ୍ରୀଲଙ୍କା ପୁଣି ଫେଲ୍‌

ଆଜି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପୁଣିଥରେ ଶୋଚନୀୟ ପ୍ରଦର୍ଶନ କରିଥିଲା । ୧୨୮ ରନ୍‌ରେ ୯ଟି ଓ୍ଵିକେଟ୍‌ ହରାଇବା ପରେ ଅନ୍ତିମ ଯୋଡ଼ିଙ୍କ ଯୋଗୁଁ ୪୬.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା । କୁଶଲ ପେରେରା ୫୧ ଏବଂ ଥିକସାନା ୩୮ ରନ୍‌ କରିଥିଲେ ।

ପରେ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍‌୍‌ ହରାଇ ୧୭୨ ରନ୍‌ର ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ଓପ୍ନର ଡେଭନ କନେଓ୍ଵ ୪୫ ଏବଂ ରଚିନ ରବୀନ୍ଦ୍ର ୪୨ ରନ୍‌ କରିଥିଲେ । ଡାରୀଲ ମିଚେଲ ୩୧ ବଲ୍‌୍‌ରେ ୪୩ ରନ୍‌ କରିଥିଲେ ।

ପଏଣ୍ଟ କାହାର କେତେ

ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତ ୮ଟି ମ୍ୟାଚରୁ ୧୬ ପଏଣ୍ଟ ସହ ଶୀର୍ଷରେ ରହିଛି । ଦକ୍ଷିଣ ଆଫ୍ରିକା ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍‌ ଖେଳି ସମାନ ୧୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଆଜି ତାର ଲିଗ୍‌ ପର୍ଯ୍ୟାୟ ଶେଷ କରିଥିବା ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍ରୁ ୧୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ତେବେ ପ୍ରଥମ ୩ଟି ଦଳ ଏବଂ ପାକିସ୍ତାନ ଓ ଆଫଗାନିସ୍ତାନର ଗୋଟିଏ ଲେଖାଏଁ ମ୍ୟାଚ୍‌ ବାକି ଅଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମାନଙ୍କ ମ୍ୟାଚ୍‌ ଜିତିଲେ ମଧ୍ୟ ଭାରତ ସହିତ ସମକକ୍ଷ ହୋଇ ପାରିବେ ନାହିଁ । ତେଣୁ ଭାରତ ତାର ଶେଷ ମ୍ୟାଚରେ ହାରିଲେ ମଧ୍ୟ ଶୀର୍ଷରେ ରହିବ ହିଁ ରହିବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମାନଙ୍କ ମ୍ୟାଚ୍‌ ଜିତିଲେ ସମାନ ୧୪ ପଏଣ୍ଟ ପାଇବେ । ସେକ୍ଷେତ୍ରରେ ସେମାନଙ୍କ ରନ୍‌ ହାର ହିଁ ସେମାନଙ୍କ ସେମିଫାଇନାଲ ପୋଜିସନ୍‌ ସ୍ଥିର କରିବ । ତେଣୁ ସେମିଫାଇନାଲରେ କିଏ କାହାର ପ୍ରତିଦ୍ୱନ୍ଦ୍ୱୀ ହେବ ତାହା ଏବେ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ ନାହିଁ ।

point

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.