ଜଣେ ଅସହାୟ ଶିଶୁର ଚିକିତ୍ସା ପାଇଁ ଅଲିମ୍ପିକ୍ସ ପଦକ ନିଲାମ କଲେ ମାରିଆ ଆଣ୍ଡ୍ରେଜିକ

ନୂଆଦିଲ୍ଲୀ: ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଏହା ଥିଲା ମାରିଆଙ୍କ ପ୍ରଥମ ପଦକ। ଦୂରାରୋଗରେ ପୀଡ଼ିତ ୮ ମାସର ଶିଶୁ ମିଲୋସେକ୍‌ ମାଲିସାଙ୍କ ଜୀବନ ବଞ୍ଚାଇ ଲାଗି ଅଲିମ୍ପିକ୍ସ ପଦକ ନିଲାମ କରିଛନ୍ତି ମାରିଆ। ଜଣେ ଶିଶୁର ଚିକିତ୍ସା ପାଇଁ ନିଜ ପଦକ ବିକି ଉଦାହରଣ ସୃଷ୍ଟି କରିଛନ୍ତି ଅଲିମ୍ପିକ ଆଥଲେଟ ।

ଗୁରୁତର ହୃଦୟ ରୋଗରେ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବା ପାଇଁ ଯଥାଶୀଘ୍ର ଅସ୍ତ୍ରୋପଚାର କରାଯିବା ଆବଶ୍ୟକ। ଅପରେଶନରେ ଜଟିଳତା ଥିବାରୁ ମନା କରି ଦେଇଛନ୍ତି ୟୁରୋପିଆନ ଦେଶମାନଙ୍କରେ ଥିବା ପ୍ରାୟ ହସ୍ପିଟାଲ। ଆମେରିକାରେ ଥିବା ଷ୍ଟାନଫର୍ଡ ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ଏହି ଅପରେଶନ ହୋଇପାରେ ବୋଲି ପରିବାରର ଲୋକେ ଆଶା କରୁଛନ୍ତି। ତେବେ ଏଥି ଲାଗି ଦରକାର ୩ ଲକ୍ଷ ୮୫ ହଜାର ଆମେରିକୀୟ ଡଲାର। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୨.୮୬ କୋଟିରୁ ଅଧିକ ଟଙ୍କା। କିନ୍ତୁ ପରିବାର ଲୋକେ ଏପର୍ଯ୍ୟନ୍ତ ମାତ୍ର ଅଧା ଅର୍ଥ ଯୋଗାଡ଼ କରିଛନ୍ତି।

ଏହା ଜାଣିବା ପରେ ୨୫ ବର୍ଷୀୟା ମାରିଆ ଏକ ଫେସବୁକ ପୋଷ୍ଟ ଜରିଆରେ ଅଲିମ୍ପିକ୍ସ ରୌପ୍ୟ ପଦକ ନିଲାମ କରିବାକୁ ଘୋଷଣା କରିଥିଲେ। ପଦକକୁ ନିଲାମ ପ୍ରକ୍ରିୟାରେ ୧.୨୫ ଲକ୍ଷ ଆମେରିକୀୟ ଡଲାରରେ ଜିତିଥିଲେ ପୋଲାଣ୍ଡର ସୁପରମାର୍କେଟର ମାଲିକ ଜବକା ପୋଲସ୍କା। ତେବେ ମାରିଆଙ୍କୁ ପଦକ ଫେରାଇବା ସହ ଜବକା ଶିଶୁର ଚିକିତ୍ସା ଲାଗି ଉପରୋକ୍ତ ରାଶି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.