ଟି-୨୦ ବିଶ୍ୱକପ୍‌ ପରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହୋଇପାରନ୍ତି ରବି ଶାସ୍ତ୍ରୀ, ଓ୍ଵାର୍ଲ୍ଡ କପ୍‌ ପରେ ନେବେ ନିଷ୍ପତ୍ତି

ଭାରତୀୟ ଟିମ୍‌ର ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଟି-୨୦ ବିଶ୍ୱକପ୍‌ ୨୦୨୧ ପରେ ଶେଷ ହୋଇଯିବ। ରବି ଶାସ୍ତ୍ରୀଙ୍କ ଜାଗାରେ ଇଣ୍ଡିଆ ଟିମ୍‌ ପୂର୍ବ କ୍ୟାପ୍‌ଟେନ୍‌ ରାହୁଲ ଦ୍ରାବିଡ୍‌ ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଆସୁଛି ଯେ ବିଶ୍ୱ କପ୍‌ ପରେ ରବି ଶାସ୍ତ୍ରୀ କରିବେ କ’ଣ। ସେ କ’ଣ ପୁଣି ନିଜ ପୁରୁଣା ପ୍ରଫେସନ୍‌ କମେଣ୍ଟ୍ରିକୁ ଯିବେ ନା କୋଚିଂ ସହ ହିଁ ଯୋଡ଼ି ହୋଇ ରହିବେ। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ରବି ଶାସ୍ତ୍ରୀ ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ୍‌ ସିଭିସି କ୍ୟାପିଟାଲ୍ସର ଟିମ୍‌ ଅହମ୍ମଦାବାଦ ସହ ଯୋଡ଼ି ହେବେ।

ରିପୋର୍ଟ ମୁତାବକ, ସିଭିସି କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ନିଜ ଅହମ୍ମଦାବାଦ ଟିମ୍‌ ପାଇଁ ରବି ଶାସ୍ତ୍ରୀ, ତାଙ୍କ ସହ କାମ କରୁଥିବା ଭାରତର ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର.ଶ୍ରୀଧରଙ୍କ ସହ କୋଚିଂ ନେଇ କଣ୍ଟ୍ରାକ୍ଟ କରିଛନ୍ତି। କୁହାଯାଉଛି ଯେ ବିଶ୍ୱ କପ୍‌ ପରେ ରବି ଶାସ୍ତ୍ରୀ ଏନେଇ ନିଷ୍ପତ୍ତି ନେଇ ପାରନ୍ତି। ତେବେ ଏ ନେଇ ରବି ଶାସ୍ତ୍ରୀ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ତେବେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ରବି ଶାସ୍ତ୍ରୀ କୋଚିଂ ଚାର୍ଜରୁ ମୁକ୍ତ ହେବା ପରେ ପୁଣି ଥରେ କମେଣ୍ଟ୍ରି ଆରମ୍ଭ କରିପାରନ୍ତି। କ୍ରିକେଟ୍‌ରୁ ସନ୍ନ୍ୟାସ ପରେ ସେ କମେଣ୍ଟ୍ରି କରୁଥିଲେ। ସେ ୨୦ ବର୍ଷ ଯାଏଁ ଭିନ୍ନ ଭିନ୍ନ ବ୍ରଡକାଷ୍ଟ ପାଇଁ କମେଣ୍ଟ୍ରି କରୁଥିଲେ। ୨୦୧୬ରେ ସେ ଟିମ୍‌ ଇଣ୍ଡିଆ ପାଇଁ ମୁଖ୍ୟ କୋଚ୍‌ର ପଦ ସମ୍ଭାଳିଥିଲେ। ଏଣୁ ତାଙ୍କୁ କମେଣ୍ଟ୍ରି ଛାଡ଼ିବାକୁ ପଡ଼ିଥିଲା। ତେବେ ବର୍ତ୍ତମାନ ତାଙ୍କ କୋଚିଂ କଣ୍ଟ୍ରାକ୍ଟ ସରୁଥିବାରୁ ଏବେ ପୁଣିଥରେ ସେ ବ୍ରଡକାଷ୍ଟରଙ୍କ ପାଇଁ କମେଣ୍ଟ୍ରି କରିପାରନ୍ତି ବୋଲି କୁହାଯାଉଛି। ଚର୍ଚ୍ଚା ହେଉଛି ଯେ ରବି ଶାସ୍ତ୍ରୀଙ୍କ ସହ ଅନେକ ବ୍ରଡ୍‌କାଷ୍ଟର ଯୋଗାଯୋଗ ମଧ୍ୟ କରିଛନ୍ତି। କିନ୍ତୁ ଏନେଇ ସେ କୌଣସି ନିଷ୍ପତ୍ତି ନେଇ ନଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଯଦି ରବି ଶାସ୍ତ୍ରୀ କୌଣସି ଆଇପିଏଲ୍‌ ଟିମ୍‌ ସହ ଯୋଡ଼ି ହେଉଛନ୍ତି, ତେବେ ସେ ବିସିସିଆଇ ପାଇଁ ଆଉ କମେଣ୍ଟ୍ରି କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.