ନିରାଶ କଲେ ଭାରତୀୟ ବ୍ୟାଟ୍ର: ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ୩୧ ରନ୍ରେ ହାରିଲା ଭାରତ

କେନ୍ଯୁଜ୍: ଫେଲ ମାରିଲେ ଭାରତୀୟ ବ୍ୟାଟର । ନିରାଶ କଲେ ବ୍ୟାଟ୍ର । ପ୍ରଥମ ଦିନିକିଆ ହାରିଲା ଭାରତ । ଦକ୍ଷିଣ ଆଫ୍ରିକାର ପର୍ଲରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଭାରତକୁ ୩୧ ରନ୍ରେ ପରାସ୍ତ କରିଛି ଘରୋଇ ଦଳ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ ବିଶିଷ୍ଟ ଦିନିକିଆରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।
ଏହାର ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ଵନ ସର୍ବାଧିକ ୭୯ ରନ, ବିରାଟ କୋହଲି ୫୧ ରନ ଓ ଶାର୍ଦ୍ଦୁଲ ଠାକୁର ୫୦ ରନ୍ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ର ବିଫଳ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ତବରେଜ ଶାମସୀ ଓ ଆଣ୍ଡିଲେ ଫେଲୁକୱାୟୋ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଆରମ୍ଭରୁ ୩ଟି ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ଟେମ୍ବା ବାଭୁମା ଓ ରାସି ଭାନ ଡର ଦୁସେନ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲେ । ବାଭୁମା ୧୧୦ ରନ କରିଥିବା ବେଳେ ଦୁସେନ ୧୨୯ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ଵୀନ ଗୋଟିଏ ଓ୍ଵିକେଟ ନେଇଥିଲେ ।