ଆଜିଠୁ ଟି-୨୦ କ୍ରିକେଟରେ ଲାଗିବ ଇଣ୍ଟରନ୍ଯାସନାଲ ତଡକା, କ୍ବାଲିଫାୟାର ରାଉଣ୍ଡ ପାଇଁ ଖେଳାଯିବ ଦୁଇଟି ମ୍ଯାଚ୍

ଆଇପିଏଲ ୨୦୨୧ ସରିବା ପରେ ଆଜିଠାରୁ ଓମାନର ମସ୍କଟଠାରେ ଟି-୨୦ ବିଶ୍ବକପ୍‌ ଆରମ୍ଭ ହେଉଛି। ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟରେ ସୁପର ୧୨ ଟିମ୍ ପରେ ଅନ୍ଯ ୪ଟି ଟିମ୍ ପାଇଁ ଆଜି କ୍ବାଲିଫାୟର ରାଉଣ୍ଡ ଆରମ୍ଭ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ।

ଆଜିର ମ୍ଯାଚରେ ଓମାନକୁ ପାପୁଆ ନ୍ୟୁଗିନି ଏବଂ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ସ୍କଟଲାଣ୍ଡ ଭେଟିବ। ଏହାର ସୁପର ୧୨ ପର୍ଯ୍ୟାୟ ଆସନ୍ତା ୨୩ ତାରିଖରୁ ଖେଳାଯିବ। ଏଥିରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ୮ ଏବଂ ପ୍ରଥମ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଥିବା ୪ ଦଳ ସାମିଲ ରହିବେ। ଭାରତ ପରଦିନ ଅର୍ଥାତ୍ ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ। ନଭେମ୍ବର ୧୪ ତାରିଖରେ ଏହି ପ୍ରତିଯୋଗିତାର ମେଗା ଫାଇନାଲ୍ ଖେଳାଯିବ।

ଏଥର ବିଶ୍ବକପରେ ମୋଟ ୪୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ବିଜେତା ୧୨ କୋଟି ଏବଂ ଉପବିଜେତା ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବ। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସଫଳତମ ଦଳ ହେଉଛି ୱେଷ୍ଟଇଣ୍ଡିଜ୍ (୨)। ଭାରତ (୨୦୦୭), ପାକିସ୍ତାନ (୨୦୦୯), ଇଂଲଣ୍ଡ (୨୦୧୦) ଓ ଶ୍ରୀଲଙ୍କା (୨୦୧୪) ଥରେ ଲେଖାଏଁ ଏହାକୁ ଜିତିଛନ୍ତି। ୱେଷ୍ଟଇଣ୍ଡିଜ୍ ଏଥର ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅନ୍ୟତମ ଦାବିଦାର ଭାରତ ଦ୍ବିତୀୟ ଥର ପାଇଁ ବିଜେତା ହେବା ଲାଗି ଚେଷ୍ଟା କରିବ।

ଭାରତ ଟି-୨୦ ବିଶ୍ବକପ ପାଇଁ ପାକିସ୍ତାନ, ନ୍ଯୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ସହିତ ଖେଳିବ। କ୍ବାଲିଫାୟାର ରାଉଣ୍ଡ ପରେ ଗ୍ରୁପ ବି ବିଜେତା ଟିମ ଏବଂ ଗ୍ରୁପ ସିର ରନର୍ସ ଅପ ଟିମ ସାମିଲ ରହିବ। ସେହିପରି ଗ୍ରୁପ ଏରେ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ଟିମ୍ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.