ପୁଣିଥରେ ମାଇକ୍‌ ଧରି କମେଣ୍ଟ୍ରି କରିବେ ରବି ଶାସ୍ତ୍ରୀ, ଏହି ମ୍ୟାଚ୍‌ରୁ କରିପାରନ୍ତି ଆରମ୍ଭ

ଟିମ୍‌ ଇଣ୍ଡିଆର କୋଚ୍‌ ପଦରୁ ବିଦାୟ ନେଇଛନ୍ତି ରବି ଶାସ୍ତ୍ରୀ। ତାଙ୍କ ପ୍ରଶିକ୍ଷଣରେ ଟିମ୍‌ ଇଣ୍ଡିଆ ସୋମବାର ଦିନ ଟି-୨୦ ବିଶ୍ୱ କପ୍‌ରେ ନାମିବିୟା ବିପକ୍ଷରେ ନିଜ ଶେଷ ମ୍ୟାଚ୍‌ ଖେଳିଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ଏବେ ପୂର୍ବ ଭାରତୀୟ କ୍ୟାପ୍‌ଟେନ୍‌ ରାହୁଲ ଦ୍ରାବିଡ୍‌ ଇଣ୍ଡିଆ କ୍ରିକେଟ୍‌ ଟିମ୍‌ର ନୂଆ କୋଚ୍‌ ହେବେ। ଇତି ମଧ୍ୟରେ ରବି ଶାସ୍ତ୍ରୀ ସଙ୍କେତ ଦେଇଛନ୍ତି ଯେ ସେ ପୁଣିଥରେ କମେଣ୍ଟ୍ରି ଦୁନିଆକୁ ଫେରିପାରନ୍ତି।

ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପୂର୍ବରୁ ଶାସ୍ତ୍ରୀ କମେଣ୍ଟେଟର ଥିଲେ। ସେ ଟିମ୍‌ ଇଣ୍ଡିଆର ଅନେକ ଐତିହାସିକ ବିଜୟର କମେଣ୍ଟ୍ରି କରିଛନ୍ତି। ଶାସ୍ତ୍ରୀ ୨୦୧୧ ବିଶ୍ୱ କପ୍‌ର ଫାଇନାଲରେ କମେଣ୍ଟ୍ରି ବକ୍ସରେ ଥିଲେ। ସେହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଶ୍ରୀଲଙ୍କା ବିପକ୍ଷରେ ଛକ୍କା ମାରି ଟିମ୍‌ ଇଣ୍ଡିଆକୁ ଚାମ୍ପିୟନ୍‌ କରିଥିଲେ। ତେବେ ଭାରତୀୟ ଦଳ ନାମିବିୟାକୁ ହରାଇବା ପରେ ଗଣମାଧ୍ୟମ ସହ କଥା ହେବା ଅବସରରେ ରବି ଶାସ୍ତ୍ରୀ ନିଜ ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ଈଶାରା ଈଶାରାରେ କହିଛନ୍ତି।

ରବି ଶାସ୍ତ୍ରୀ କହିଛନ୍ତି, ଯଦି ଆପଣ ମୋ କାର୍ଯ୍ୟକାଳର ବିଶିଷ୍ଟ ଉପଲବ୍ଧି କଥା କହିବେ ତେବେ ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ହରାଇବା ଠାରୁ ଭଲ ଆଉ କିଛି ନାହିଁ। ଇଂଲଣ୍ଡରେ ଆମେ ସିରିଜ୍‌ରେ ଆଗୁଆ ଥିଲୁ। ଏବେ ଆସନ୍ତା ବର୍ଷ ଏହି ସିରିଜ୍‌ ପୂରା ହେବ। ହୋଇପାରେ ଉକ୍ତ ମ୍ୟାଚ୍‌କୁ ମୁଁ କମେଣ୍ଟ୍ରି କରୁଥାଇପାରେ। ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷରେ ସେହି ପଞ୍ଚମ ମ୍ୟାଚ୍‌ କଥା କହିଥିଲେ ଯାହାକୁ ସେପ୍ଟେମ୍ବରରେ ଭାରତୀୟ ଦଳ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥଗିତ କରାଯାଇଥିଲା। ଉକ୍ତ ମ୍ୟାଚ୍‌କୁ ଆସନ୍ତା ବର୍ଷ ଜୁଲାଇରେ ଖେଳାଯିବ।

ପ୍ରକାଶ ଯେ ଭାରତ ଓ ନାମିବିୟା ମଧ୍ୟରେ ଟି-୨୦ ବିଶ୍ୱ କପ୍‌ର ସୁପର-୧୨ ଷ୍ଟେଜ୍‌ର ମ୍ୟାଚ୍‌ ବହୁ ଦିଗରୁ ଖାସ୍‌ ଥିଲା। ଏହି ମ୍ୟାଚ୍‌ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ ପାଇଁ ଓ କ୍ୟାପ୍‌ଟେନ୍‌ ଭାବେ ବିରାଟ କୋହଲିଙ୍କ ପାଇଁ ଶେଷ ମ୍ୟାଚ୍‌ ଥିଲା। ଏଥିସହ ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରୁ କେତେ ଜଣଙ୍କର ମଧ୍ୟ ଏହା ଶେଷ ମ୍ୟାଚ୍‌ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.