ଦ୍ୱିତୀୟ ଟି-୨୦ : ଅଷ୍ଟ୍ରେଲିଆ ଆଗରେ ୧୯୧ ରନ୍ର ବିଜୟଲକ୍ଷ୍ୟ ରଖିଲା ଭାରତ

ବେଙ୍ଗାଲୁରୁ : କୋହଲି-ଧୋନି ଯୋଡ଼ିର ଧମାଲ୍ । ଶହେ ରନ୍ର ଭାଗିଦାରୀ କରିବା ଫଳରେ ଅଷ୍ଟ୍ରେଲିଆ ଆଗରେ ୧୯୧ ରନ୍ର ବିଜୟଲକ୍ଷ୍ୟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୦ ରନ୍ କରିଛି । କୋହଲି ୭୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।
ଭାରତୀୟ ଦଳ ଦଳ ପକ୍ଷରୁ ଓପ୍ନର ଲୋକେଶ ରାହୁଲ ୨୬ ବଲ୍ରୁ ୪୭ ରନ୍ (୩ ଚୌକା, ୪ ଛକା), ଶିଖର ଧବନ୍ ୧୪, ୠଷଭ ପନ୍ତ ୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ଧୋନି ପୂରା ଦମ୍ରେ ଆକ୍ରମଣ କରି ଅଷ୍ଟ୍ରେଲିଆ ବୋଲର୍ଙ୍କୁ ନୟାନ୍ତ କରି ଦେଇଥିଲେ । ଚତୁର୍ଥ ଓ୍ଵିକେଟ୍ରେ ସେମାନେ ମାତ୍ର ୮ ଓଭର ସାଥୀ ହୋଇ ଖେଳି ୧୦୦ ରନ୍ ସଂଗ୍ରହ କରିଥିଲେ । ଧୋନି ୨୩ ବଲ୍ରେ ୪୦ ରନ୍ (୩ ଚୌକା ଓ ୩ ଛକା) କରି ଶେଷ ଓଭର୍ର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ବିରାଟ ମାତ୍ର ୩୮ ବଲ୍ରୁ ୭୨ ରନ୍ (୨ ଚୌକା, ୬ ଛକା) କରିଥିଲେ । ସେ ୧୬ତମ ଓଭରରେ କଲଟର ନିଲ୍ଙ୍କ ବଲ୍ରେ ‘ହ୍ୟାଟ୍ରିକ୍’ ଛକା ମାରିଥିଲେ । ସେହିଭଳି ଶେଷ ବଲ୍ରେ ସେ ଛକା ମାରିବା ଯୋଗୁଁ ଦଳ ୧୮୪ରୁ ୧୯୦ ରନ୍ରେ ପହଞ୍ଚି ଯାଇଥିଲା । ଦୀନେଶ କାର୍ତ୍ତିକ ଅପରାଜିତ ୮ ରନ୍ କରିଥିଲେ ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ୍ ଫିଞ୍ଚ । ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଥିଲା । ରୋହିତ ଶର୍ମା, ମାର୍କଣ୍ଡେ ଓ ଉମେଶ ଯାଦବଙ୍କ ଜାଗାରେ ଧବନ୍, ବିଜୟ ଶଙ୍କର ଏବଂ ସିଦ୍ଧାର୍ଥ କୌଲ ଖେଳୁଛନ୍ତି ।
ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତି ସାରିଛି । ଏହି ମ୍ୟାଚ୍ ଜିତିଲେ ସିରିଜ୍ ବିଜୟୀ ହେବ । ଯଦି ଭାରତ ବିଜୟୀ ହୁଏ ତେବେ ସିରିଜ୍ ୧-୧ରେ ଡ୍ର ଭାବେ ଶେଷ ହେବ ।