ସିବିଆଇ ପଞ୍ଝାରେ GSTର ୩ ଜଣ ବରିଷ୍ଠ ଅଧିକାରୀ, ନେଉଥିଲେ ୧୦ ଲକ୍ଷ ଲାଞ୍ଚ

ଭୁବନେଶ୍ୱର: ସିବିଆଇ ପଞ୍ଝାରେ GSTର ୩ ଜଣ ବରିଷ୍ଠ ଅଧିକାରୀ । ଜିଏସ୍ଟି ଠକେଇ ପାଇଁ ଏମାନେ ସହାୟତା କରୁଥିଲେ। ଭୁବନେଶ୍ୱରର ଏକ ନାମୀ ହୋଟେଲ୍ରେ ଏକ ବେସରକାରୀ ଇନ୍ଷ୍ଟିଟ୍ୟୁଟ୍ର ଆକାଉଣ୍ଟସ୍ ଅଧିକାରୀଙ୍କ ଠାରୁ ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡିଛନ୍ତି ଏହି ଅଧିକାରୀ ।
ସିବିଆଇର ଅଧିକାରୀମାନେ ଏହି କାରବାର ବିଷୟରେ ପୂର୍ବରୁ ହିଁ ସୂଚନା ପାଇଥିଲେ। ଉକ୍ତ ସୂଚନା ଆଧାରରେ ସେମାନେ ହୋଟେଲ୍ରେ ଚଢଉ କରିଥିଲେ । ସେଠାରୁ ଭୁବନେଶ୍ୱର ସର୍କଲ ଜିଏସ୍ଟି ସୁପରିଟେଣ୍ଡଣ୍ଟ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ୍ଏନ୍ ସାହୁଙ୍କ ସହ ଆଉ ଏକ ବେସରକାରୀ ସଂସ୍ଥାର ଆକାଉଣ୍ଟାଣ୍ଟ ଆଶୁତୋଷ ପାଢୀଙ୍କୁ ଗିରଫ କରିଛି । ଜଟଣୀରେ ଥିବା ଏକ ଇନ୍ଷ୍ଟିଟ୍ୟୁଟ୍ର ଜିଏସ୍ଟି କାରବାର ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏବେ ଏହି ଅଧିକାରୀମାନଙ୍କର ବାସଭବନରେ ସିବିଆଇ ଚଢଉ କରିଥିବା ସୂଚନା ମିଳିଛି।