OUAT ବିଶ୍ବବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷା: ଡିସେମ୍ବର ସୁଦ୍ଧା ସରିବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କାମ
ଭୁବନେଶ୍ବର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାସହିତ ସେଠାରେ ପଢୁଥିବା ଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।
ପ୍ରଥମେ ପାଣ୍ଡିଆନ ନିର୍ମାଣାଧୀନ ଅତ୍ୟାଧୁନିକ ଅଡିଟୋରିୟମ ବୁଲି ଦେଖିଥିଲେ। ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ। ଏହି ଅଡିଟୋରିଅମ ଦେଶର ସବୁଠାରୁ ବଡ ଅଡିଟୋରିଅମ ହେବ ଏବଂ କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନ୍ଫରେନ୍ସର ଆୟୋଜନ କରାଯାଇ ପାରିବ।
ଏହାପରେ ସେ ୨୦୦ ଆସନ ବିଶିଷ୍ଟ କୃଷକ ହଷ୍ଟେଲର ନବୀକରଣ କାମ ବୁଲି ଦେଖିଥିଲେ। କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି ।
କୃଷି ବିଶ୍ବବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ। ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ପରିଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଛାତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ।
ଛାତ୍ରୀ ନିବାସରେ ବ୍ୟାଡମିଣ୍ଟନ କୋର୍ଟ ଓ ଜିମ୍ ସୁବିଧାର ବିକାଶ ପାଇଁ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ୫ଟି ସଚିବ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଏବଂ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ।