Below header

ଗଜପତି:କାର ସହ ୭୧ କିଲୋ ୪୦୦ଗ୍ରାମ ଗଞ୍ଜେଇ ଜବତ, ଖସିଗଲେ ଚାଲାଣକାରି

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଗଞ୍ଜେଇ ମାଫିଆମାନଙ୍କୁ ପୋଲିସ ଗିରଫ କରିବାରେ ମଧ୍ୟ ସଫଳ ହେଉଛି। ଅନ୍ୟ  କିଛି ଗଞ୍ଜେଇ ମାଫିଆ ପୋଲିସ ଆଖିରେ ଧୂଳି ଦେଇ ଫେରାର ମଧ୍ୟ ହେଉଛନ୍ତି l  ମୋହନା ପୋଲିସର ସୂଚନା ଅନୁସାରେ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୋହନା ପୋଲିସ କମଳାପୁର ନାକା ଗେଟରେ ଯାନବାହନ ଯାଞ୍ଚ କରୁଥିଲା ।

ganja

ଏହି  ସମୟରେ ଏକ ଧଳା ରଙ୍ଗର କାର୍ ନଂ OD02BL4301 ଲୁହାଗୁଡ଼ି ପଟୁ ଆସୁଥିବା ବେଳେ ସେହି ଗାଡିକୁ ଅଟକାଇ ବାକୁ ଚେଷ୍ଟା କରିଥିଲା ପୋଲିସ। କିନ୍ତୁ ଗାଡ଼ି ଚାଳକ ଗୋବିନ୍ଦପୁର ରାସ୍ତା ଦେଇ ପଳାଇଯିବାକୁ ଚେଷ୍ଟା କରିଥିଲା l ମୋହନା ପୋଲିସ  ଗାଡ଼ିର ପିଛା କରି ଡେଙ୍ଗିଣିପଦର ଘାଟିରେ ଗାଡ଼ିଟିକୁ ଜବତ କରିଥିଲା । କିନ୍ତୁ ଧରାପଡିଯିବା ଭୟରେ ଚାଳକ ଗାଡି ଛାଡି ଫେରାର ଥିବା ପୋଲିସ କହିଛି l ଉକ୍ତ ଗାଡ଼ିଟିକୁ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ତଲାସି କରାଯାଇଥିଲା ।

ତଲାସି ବେଳେ ସେଥିରୁ  ତିନି ବସ୍ତା ଗଞ୍ଜେଇ ମିଳିଥିଲା । ଗଞ୍ଜେଇର ଓଜନ ୭୧ କିଲୋ ୪୦୦ଗ୍ରାମ ଥିବାବେଳେ ଏହାର  ଆନୁମାନିକ ମୂଲ୍ୟ  ୪ ଲକ୍ଷ ଟଙ୍କା ହେବ ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି। ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ କରାଯାଉଥିବା ଜଣାପଡିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.