ଯାଜପୁର: ମା ଓ ଶିଶୁଙ୍କ ପାଇଁ ଆସିଥିବା ଛତୁଆ ଗାଡିକୁ ଅଟକାଇଲେ ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀ

ଯାଜପୁର(କେନ୍ୟୁଜ୍): ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ଆସିଥିବା ଛତୁଆ ଗାଡିକୁ ଅଟକାଇଲେ ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ। ଗତ ୨୧ତାରିଖରୁ ୮ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି। ଏହିକ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀମାନେ ଧାରଣାରେ ବସି ରହିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ବିଭିନ୍ନ ସେଣ୍ଟରରେ ମା ଓ ଶିଶୁମାନଙ୍କୁ ଛତୁଆ ବଣ୍ଟନ କରିବା ପାଇଁ ସିଡ଼ିପିଓଙ୍କ ନିର୍ଦ୍ଦେଶ ରହିଥିଲା। ଏନେଇ ଆଜି ବ୍ଲକର ସିଦ୍ଧଚଣ୍ଡୀ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ଏକ ଗାଡ଼ିରେ ଛତୁଆ, ଅଣ୍ଡା, ବାଦାମ ଲଡୁ ସହ ଅନ୍ୟାନ୍ୟ ସାମଗ୍ରୀ ଆଣି ନାଉପାଳ ସେଣ୍ଟରରେ ପହଞ୍ଚିଥିଲା।
କୌଣସି ସୂତ୍ରରୁ ଖବର ପାଇ ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀ ମହିଳାମାନେ ସେଠାରେ ପହଞ୍ଚି ବିଭିନ୍ନ ନାରବାଜି କରିବା ସହ ଏହାକୁ ତୀବ୍ର ବିରୋଧ କରିଥିଲେ। ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବିକୁ ବିଚାରକୁ ନେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କୁ ବିରୋଧ କରିବେ ବୋଲି ଚେତବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଅଙ୍ଗନୱାଡି କର୍ମୀଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ହିତାଧିକାରୀ ମହିଳା ଓ ଏସଏଚଜି ଗ୍ରୁପ।