Below header

ଦୀର୍ଘ ୪୫ ଦିନ ପରେ ସାଉଦି ଆରବରୁ ଗାଁରେ ପହଞ୍ଚିଲା ବାବୁଲାଙ୍କ ମୃତଦେହ

ଟାଙ୍ଗୀ (ଖୋର୍ଦ୍ଧା) : ରାତି ଅଧରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ହରିକୁଣ୍ଡ ବରଡି ଗାଁ ଦାଣ୍ଡ । ପିଲା ଠାରୁ ବୁଢା ସମସ୍ତଙ୍କ ଆଖିରେ ଥିଲା ଲୁହ । ଲକ୍‌ଡାଉନ୍‌ ଯୋଗୁଁ ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିବା ଥିଲା ଭାରି କଷ୍ଟକର । ଆଉ ବିଦେଶରୁ ଆସିବା ତ ଅତି କଷ୍ଟକର । କଷ୍ଟ କରି ମଧ୍ୟ ବାବୁଲା ଆସି ପାରିଲା ନାହିଁ । ଶେଷରେ ପହଞ୍ଚିଲା ତାର ମୃତ ଶରୀର । ୪୫ ଦିନ ପୂର୍ବରୁ ବିଦେଶ ମାଟିରେ ମୃତ୍ୟୁ ହୋଇଥିବା ବାବୁଲାର ଶବ ଗାଁକୁ ଫେରିଲା । ତାକୁ ଶେଷଥର ପାଇଁ ଦେଖି ପାରିବେ ବୋଲି ପରିବାର ଲୋକ ବି ଆଶା କରି ନଥିଲେ । ହେଲେ ମୃତଦେହ ଆସିଲା ପରେ ଗାଁ ସାରା ଶୋକର ଛାୟା ଖେଳି ଗଲା । ପରେ କୋଭିଡ କଟକଣା ମଧ୍ୟରେ ଗାଁ ମଶାଣିରେ ଶବ ସଂସ୍କାର ହେଲା ବାବୁଲାଙ୍କର ।

ଘଟଣାଟି ଏମିତି ଥିଲା, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ କୁମାଣ୍ଡୋଳପାଟଣା ପଞ୍ଚାୟତ ହରିକୁଣ୍ଡ ବରଡି ଗ୍ରାମର ବାବୁଲା ଜେନା ନଅ ବର୍ଷ ହେଲା ସାଉଦି ଆରବ ସ୍ଥିତ ନାସିର ଅଲ ହାଜରି କମ୍ପାନୀରେ କାର୍ଯ୍ୟରତ ଥିଲେ । ହଠାତ ଗତ ମେ ମାସ ୨୪ତାରିଖରେ ସେଠାରେ କାମ କରୁଥିବା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଫୋନ ଯୋଗେ ଖବର ଦେଲେ ଆମ ବାବୁଲା ଆଉ ନାହିଁ । କମ୍ପାନୀ ତରଫରୁ ବାବୁଲାର ଶବ ଗାଁ କୁ ପଠାଇବାର କିଛି ବି ବ୍ୟବସ୍ଥା କଲେ ନାହିଁ । ଏହା ପରେ ପରିବାର ତରଫରୁ ବାଣପୁର ଅଞ୍ଚଳର ସାମାଜିକ କର୍ମୀ ଲଲାଟେନ୍ଦୁ ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଲଲାଟେନ୍ଦୁ ସାହାଯ୍ୟର ହାତ ବଢାଇଥିଲେ । କିନ୍ତୁ ପରିବାର ପାଖରେ ପାସପୋର୍ଟ ନମ୍ବର ତଥା ଭିସା କାଗଜ ନଥିବା ହେତୁ ବାବୁଲାଙ୍କ ଶବ ଫେରିବାରେ ବିଳମ୍ବ ହୋଇଥିଲା ।

BABU-1

କମ୍ପାନୀର ବିଭିନ୍ନ ଲୋକଙ୍କ ସହ କଥା ହୋଇ ପୁରୁଣା ପାସପୋର୍ଟ ନମ୍ବର ମିଳିବା ପରେ ସାଉଦି ଆରବରେ ହେଇଥିବା ତାଙ୍କ ନୂଆ ପାସପୋର୍ଟ ନମ୍ବର ଯୋଗାଡ଼ ହୋଇ ପାରିଲା । ଏହାକୁ ନେଇ ବୈଦେଶିକ ମନ୍ତ୍ରାଳୟରେ ଲଲାଟେନ୍ଦୁ ଏକ ମକଦ୍ଦମା ରୁଜୁ କରିଥିଲେ । ତେବେ କଥା ଅଧିକ ଅଗକୁ ଗଲା ନାହିଁ । ଏହି ସମୟରେ ବାଣପୁର ଚମ୍ପାଦେଇପୁରର ବାବୁଲି କୁମାର ସାହୁ ତାଙ୍କୁ ସହାୟତା କରିଥିଲେ। ବାବୁଲିଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଭାରତୀୟ ଦୂତାବାସ ସହ ସମ୍ପର୍କ କରି ବାବୁଲାଙ୍କ ମୃତଦେହ ସେଠାରୁ ଆଣିବାର ବ୍ୟବସ୍ଥା କରିଥିଲେ । ଶେଷରେ କାର୍ଗୋ ବିମାନରେ ସାଉଦି ଆରବ ହମ୍ମାମରୁ ବିଳମ୍ବିତ ରାତିରେ ବାବୁଲାଙ୍କ ମର ଶରୀର ଗାଁରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.