ଚିଟଫଣ୍ଡ ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ

ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ । ୪୨୧ଟି ଚିଟଫଣ୍ଡ କମ୍ପାନୀ ସମ୍ପର୍କରେ ୧୬ ହଜାର ୯୫୭ ପୃଷ୍ଠାର ଏହି ରିପୋର୍ଟକୁ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି କମିଶନ । ସେମାନଙ୍କ ମଧ୍ୟରୁ ୨୧୭ ଜଣ ଜମାକାରୀ କମିଶନଙ୍କ ନିକଟରେ ଚିଟଫଣ୍ଡ କମ୍ପାନୀ ଠାରୁ ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି। ଏଯାଏ କମିଶନ୍‌ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ସେଥିରେ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ମୋଟ ୧୯୩୧ ଜଣ କମିଶନଙ୍କ ନିକଟରେ ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି।

ରାଜ୍ୟରେ ଚିଟଫଣ୍ଡ ଘୋଟାଲା ପରେ ରାଜ୍ୟ ସରକାର ୨୦୧୩ ଜୁଲାଇ ୯ ତାରିଖରେ ଚିଟଫଣ୍ଡ କମିଶନ ଗଠନ କରି ଜଷ୍ଟିସ ରାଧାକୃଷ୍ଣ ପାତ୍ରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଜଷ୍ଟିସ୍‌ ପାତ୍ରଙ୍କର ପରଲୋକ ପରେ ୨୦୧୫ ଫେବ୍ରୁଆରୀ ୫ ତାରିଖରେ ଜଷ୍ଟିସ ଏମଏମ ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ ସରକାର। ପୂର୍ବରୁ ୪ଟି ଟର୍ମ ଅଫ ରେଫରେନସ୍‌ରେ ତଦନ୍ତ ଚାଲିଥିବାବେଳେ ସେହି ଫେବ୍ରୁଆରୀ ୨୦ ତାରିଖରେ ଆଉ ଏକ ଟର୍ମ ଅଫ ରେଫରେନସ୍‌ ବୃଦ୍ଧି କରି ଜମାକାରୀଙ୍କୁ ଚିହ୍ନଟ ପାଇଁ କମିଶନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ୨୦୧୯ ଜାନୁୟାରୀ ୩୧ ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ୭ ଲକ୍ଷ ୫୦ ହଜାର ସତ୍ୟପାଠ ଏବେ ଡିଜିଟାଲାଇଜେସନ କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ଏସବୁ ସତ୍ୟପାଠର ଶୁଣାଣି କରାଯିବ ବୋଲି କହିଛନ୍ତି ଜଷ୍ଟିସ ଏମ୍‌.ଏମ୍‌. ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.