ପୁରୀ: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ): ସତ୍ୟବାଦୀରେ ହେବାକୁ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ପୂର୍ତ୍ତ ବିଭାଗ ତରଫରୁ ଡିଜାଇନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ବନ ବିଦ୍ୟାଳୟରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏହି ନୂଆ ବିଶ୍ୱବିଦ୍ୟାଳୟର ଡିଜାଇନ ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି। ଶାନ୍ତ ଓ ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଛାତ୍ରଛାତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ।satyabadi 1

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହାର ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସତ୍ୟବାଦୀ ବନବିଦ୍ୟାଳୟ ଥିଲା ସ୍ୱାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ଏହାଥିଲା ଆଦର୍ଶ ବିଦ୍ୟାଳୟ।

ପଞ୍ଚଶଖା ଗୋପବନ୍ଧୁ ଦାସ, କୃପାସିନ୍ଧୁ ମିଶ୍ର, ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦବରୀଶ ମିଶ୍ରଙ୍କ ମାର୍ଗଦର୍ଶନରେ ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟଦାକୁ ବହୁ ଗୁଣିତ କରିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.