ହାତୀ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ ପରେ ତେଜିଲା ଆନ୍ଦୋଳନ: ଠେଙ୍ଗା ଧରି ବୌଦ୍ଧ ବଘିଆପଡା ରେଂଜ ଅଫିସରେ ପଶିଲେ ଗ୍ରାମବାସୀ

ବୌଦ୍ଧ (କେନ୍ୟୁଜ): ହାତୀ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଉଠାଇବା ପରେ ତେଜିଲା ଆନ୍ଦୋଳନ । ଟିକରପଡ଼ା ପଞ୍ଚାୟତ ବିରିଗଡ଼ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ବଘିଆପଡା ସେକ୍ସନ ଅଫିସ ଏବଂ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନରେ ଦୁଇଦିନ ମଧ୍ୟରେ ଦୁଇଟି ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଛି । ଏନେଇ ବିରିଗଡ଼ ଅଞ୍ଚଳରୁ ହାତୀ ଶିକାରି ସନ୍ଦେହରେ ୩ ଜଣଙ୍କୁ ଉଠାଇ ଆଣିଛି ବନବିଭାଗ । ଫଳରେ ଆଜି ଗାଁର ଶତାଧିକ ପୁରୁଷ ମହିଳା ବଘିଆପଡା ସେକ୍ସନ ଅଫିସ ଘେରାଉ କରିବା ସହ ଭଙ୍ଗାରୁଜା କରିଛନ୍ତି । ଉତ୍ୟକ୍ତ ଲୋକେ ସେକ୍ସନ କାର୍ଯ୍ୟାଳୟରେ ତାଲା ପକେଇଦେଇ ଥିଲେ ।

ପରେ ଜିଲ୍ଲା ସଦର ମହକୁମାରେ ଥିବା ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ମହିଳା ଏବଂ ପୁରୁଷ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଥିବା ବେଳେ ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ନିରୀହ ଗ୍ରାମବାସୀଙ୍କୁ ବନବିଭାଗ ନଛାଡିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.