ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର (କେନ୍ୟୁଜ): ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ପଞ୍ଚାୟତ ଅଧିନ ଢିଅସାହି ଗ୍ରାମରେ। ସୂଚନା ମୁତାବକ ବାଲିବିଲି ପଞ୍ଚାୟତ ଢିଅସାହି ଗ୍ରାମର ବିଦ୍ୟାଧର ଜେନାଙ୍କ ସାନ ପୁଅ ପ୍ରଭାତ ଜେନା(୩୫) ଉଦୟନାଥପୁର ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ ଝିଅ ସସ୍ମିତା(୩୦)ଙ୍କୁ ୩ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଅନେକ ସମୟରେ ସସ୍ମିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ।

ତେବେ ଗତକାଲି ରାତିରେ ଶାଶୁ ଘର ଲୋକେ ମିଳିମିଶି ସସ୍ମିତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ଆଜି ବରୀ-ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପରିବାର ଲୋକେ ଖବର ପାଇ ଆଜି ସକାଳୁ ଘଟଣାସ୍ଥଳକୁ ଯାଇ ଝିଅକୁ ଝୁଲନ୍ତା ଅବସ୍ଥାରେ ଥିବାର ଦେଖିବାକୁ ପାଇଥିଲେ। ମୃତା ସସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବରୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏପଟେ ଶାଶୁ, ଶଶୁର ସମେତ ଦେଢ଼ଶୁରକୁ ଥାନାକୁ ଆଣି ପଚରାଉଚରା ଚଳାଇଛି। ଘଟଣା ପରେ ମୃତା ସସ୍ମିତାର ସ୍ବାମୀ ପ୍ରଭାତ ଫେରାର ହୋଇଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.