ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଏସ ମୁରଲୀଧର, ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ପରେ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ପଞ୍ଜାବ ହରିଆନା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ମୁରଲୀଧର। ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏ ନେଇ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୂଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି।

ଜଷ୍ଟିସ ଡକ୍ଟର ଏସ ମୁରଲୀଧର ୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ୟୁନିଭରସିଟି ଅଫ ମାଡ୍ରାସରୁ ସେ ଆଇନ ଶିକ୍ଷା ଶେଷ ହେବା ପରେ ୧୯୮୪ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇରେ ଓକିଲାତି ପେଶା ଆରମ୍ଭ କରିଥିଲେ। ୧୯୮୭ ମସିହାରେ ଦିଲ୍ଲୀ  ସ୍ଥାନାନ୍ତର ହୋଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟରେ ଅନେକ ମାମଲାରେ ଆମିକସ କ୍ୟୁରୀ ଭାବେ ସେ ମକଦ୍ଦମା ପରିଚାଳନା କରିଥିଲେ। ନାସନାଲ ହ୍ୟୁମାନ ରାଇଟ୍ସ କମିଶନ ଓ ଇଲେକ୍ସନ କମିଶନ ଅଫ ଇଣ୍ଡିଆର କାଉନସେଲ ଭାବେ ସେ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୦୦୨ରୁ ୨୦୦୬ ମସିହା ଯାଏ ଲ କମିଶନ ସଦସ୍ୟ ଭାବେ ସେ କାର୍ଯ୍ୟ କରିଛନ୍ତି।

ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସେ ପିଏଚଡ଼ି ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ଭୋପାଳ ଗ୍ୟାସ ଦୁର୍ଘଟଣା କ୍ଷତିଗ୍ରସ୍ତ ଓ ନର୍ମଦା ଡ୍ୟାମର ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ଲ-ପଭରଟି ଆଣ୍ଡ ଲିଗାଲ ଏଡ଼  ଆକ୍ସେସ ଟୁ କ୍ରିମନାଲ ଜଷ୍ଟିସ ପୁସ୍ତକ ଭାରତୀୟ ଆଇନ ଶାସ୍ତ୍ର ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି। ଦିଲ୍ଲୀ ହାଇକୋର୍ଟରେ ସେ ୨୦୦୬ ମେ ୨୯ ତାରିଖରେ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୦ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଥିବାବେଳେ ମାର୍ଚ୍ଚ ୬ ରୁ ଆଜି ପର୍ଯ୍ୟନ୍ତ ପଞ୍ଜାବ ହରିଆନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.