ଦୁଇ ଅନାଥ ନାତୁଣୀ ଓ ଅଜାଙ୍କ ଦାୟିତ୍ୱନେଲେ କିସ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ଡ. ସାମନ୍ତ

ରେଢ଼ାଖୋଲ (କେନ୍ୟୁଜ) : ବୁଢ଼ା ଅଜା କୋଳରେ ଦୁଇ ଅନାଥ ଶିଶୁକନ୍ୟା। ବୟସରେ ଅପରାହ୍ନରେ ଦୁଇ ଅନାଥ ନାତୁଣୀଙ୍କ ଯତ୍ନ ନେଉଛନ୍ତି ଅଜା। ଏହି ଦୁଇ ଝିଅ ହେଉଛନ୍ତି ସଙ୍ଗିତା ଓ ରଶ୍ମିତା। ଜଣଙ୍କର ବୟସର ୫ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୩ ବର୍ଷ। ଏତେ କମ୍‌ ବୟସରେ ଅଜା କୋଳ ପାଳଟିଛି ଏମାନଙ୍କ ପାଇଁ ଆଶ୍ରା।

ରେଢାଖୋଲ ବ୍ଲକ୍ ବଡବାହାଳ ପଞ୍ଚାୟତ ବଣିଆଁବନ୍ଧ ଗାଁର ଉମେଶ ମୁଣ୍ଡା ଓ ସ୍ତ୍ରୀ ସନ୍ତୋଷିନୀ ମୁଣ୍ଡାଙ୍କ ଦୁଇ ଝିଅ ସଙ୍ଗିତା ଓ ରଶ୍ମିତା। ଦୁଇ ଶିଶୁକନ୍ୟାଙ୍କୁ ନେଇ ଚାଲୁଥିଲା ଖୁସିର ସଂସାର। କିନ୍ତୁ ଏହି ଖୁସି ବେଶି ଦିନ ରହିଲାନି। ଗତବର୍ଷ ହଠାତ ଦିନେ ସାପ କାମୁଡାରେ ମାଙ୍କର ମୃତ୍ୟୁ ଘଟିଲା। ଆଉ ତାପରେ ପାଞ୍ଚ ମାସଟେ ଯାଇନି ବାପା ମଧ୍ୟ ଅଜଣା ରୋଗରେ ପଡି ଜୀବନ ହାରିଲେ।  ବାପା ମାଙ୍କ ଅକସ୍ମାତ ମୃତ୍ୟୁ ପରେ ୭୦ ବର୍ଷୀୟ ବୁଢ଼ା ଅଜା ଦୁଇ ଛୁଆଙ୍କୁ ବଡ ଦୁଃଖକଷ୍ଟରେ ଚଳାଇଲେ। କିନ୍ତୁ ପରିଣତ ବୟସର ଏତେ କୁନି କୁନି ଛୁଆଙ୍କୁ ପୋଷିବା ବୁଢ଼ା ଅଜାଙ୍କ ପକ୍ଷରେ ଭାରି କଷ୍ଟକର ହୋଇ ପଡୁଥିଲା। ତେଣୁ ସେ ସାହାଯ୍ୟ ଭିକ୍ଷା କରିଥିଲେ।

ତେବେ ଏହି ଖବର ଯେତେବେଳେ କନ୍ଧମାଳ ସାଂସଦ ତଥା କିସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ ଜାଣିବାକୁ ପାଇଲେ ସେ ତୁରନ୍ତ ନିଜ କର୍ମଚାରୀଙ୍କ ଜରିଆରେ ଉକ୍ତ ଦୁଇ ଉଉଣୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ କଥା ବୁଝିଥିଲେ । ସେମାନଙ୍କ ବର୍ତ୍ତମାନ ଚଳିବା ପାଇଁ ନଗଦ ୪ ହଜାର ଟଙ୍କା ପ୍ରଦାନ ସହ ସେମାନଙ୍କ ପାଠ ପଢ଼ା ଓ ଚଳିବା ପାଇଁ ମାସିକ ୪ହଜାର ଟଙ୍କା ଲେଖାଏଁ କିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି ।

ଏହା ସହ ସେମାନଙ୍କୁ କିସରେ ବିନା ଦେୟରେ ପାଠ ପଢ଼ିବା ପାଇଁ ମଧ୍ୟ ଶ୍ରୀ ସାମନ୍ତ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ କରୋନା ଯୋଗୁଁ କିସ୍‌ ବନ୍ଦ ଅଛି । କିସ୍‌ ଖୋଲିଲେ ଉପଯୁକ୍ତ ସରକାରୀ ନିୟମ ଅନୁସାରେ ସେମାନଙ୍କ ନାମ କିସରେ ଲେଖାଯିବ । ଦୁର୍ଦ୍ଦିନରେ ଏଭଳି ସହାୟତା ଯୋଗାଇ ଦେଇଥିବାରୁ ଅଜା ରେଙ୍ଗଟୁ ଓ ତାଙ୍କ ଦୁଇ ନାତୁଣୀ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ ଏବଂ କିସ୍‌ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ଏଭଳି କାର୍ଯ୍ଯକୁ ଭୂୟସୀ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.