ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଆସୁଛନ୍ତି ମା’। ଘଣ୍ଟ ଘଣ୍ଟା, ଭେରୀ, ତୁରୀ,ଶଙ୍ଖ ମହୁରୀ, ବାଜା ବାଣରେ ଫାଟି ପଡ଼ୁଛି ପୂରା ପରିବେଶ। ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପାଟପୁର। ବୁଧବାର ରାତିରେ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଘଟ ସ୍ଥାପନ ହୋଇଛି। ସନ୍ଧ୍ୟାରେ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ନିଜ ପୀଠରୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା।

ଏ ଅବସରରେ ହଜାର ହଜାର ଭକ୍ତ ଯାତ୍ରାରେ ସାମିଲ ହୋଇଥିଲେ। ଭକ୍ତମାନେ ବିଭିନ୍ନ ବେଶ ପୋଷାକ ହୋଇଥିଲେ। କିଏ ଘୋଡ଼ା ନାଚ କରୁଥିଲା ତ ଆଉ କିଏ ଗାଈ ବେଶରେ ମା’ଙ୍କ ପଟୁଆର ସୌନ୍ଦର୍ଯ୍ୟକୁ ଦୁଇଗୁଣ କରୁଥିଲା। ମା’ଙ୍କ ଆଶୀର୍ବାଦ ନେବାକୁ ଯେମିତି ସମସ୍ତେ ନିଜ ନିଜ ଇଚ୍ଛାରେ ରୂପ ବେଶ ହୋଇଥିଲେ। ମା’ଙ୍କର ଟିକେ ଆଶିଷ ପାଇବାକୁ ନିଜର ସମସ୍ତ ସାମର୍ଥ୍ୟ ଲଗାଇଦେଇଥିଲେ ଭକ୍ତ।

Budhi thakurani2

ମା’ଙ୍କର ଏହି ଯାତ୍ରା ଅବସରରେ ପୂରା ରାସ୍ତା ଭକ୍ତିମୟ ହୋଇପଡ଼ିଥିଲା। ମା’ଙ୍କ ପୂଜକ ଦେବୀଙ୍କୁ ମୁଣ୍ଡରେ ମୁଣ୍ଡାଇ ଗାଁ ପରିକ୍ରମା କରିଥିଲେ। ଦେବୀଙ୍କ ସହ କଳସ ମୁଣ୍ଡାଇ ଗାଁର ମହିଳାମାନେ ବି ଧାଡ଼ି ବାନ୍ଧି ଯାଉଥିବା ଦେଖିବାକୁ ମିଳିଛି। ପରମ୍ପରା ମୁତାବକ, ଠାକୁରାଣୀ ଯାତ୍ରା ପାଇଁ ଯେଉଁ ଦିନ ଶୁଭଖୁଣ୍ଟି ସ୍ଥାପନ ହୁଏ ସେହିଦିନ ମା’ଙ୍କ ଘଟ ଆସିଥାଏ, ଏହା ପରେ ମା’ ଅସ୍ଥାୟୀ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

ଚଳିତମାସ ୨୧ରୁ ୨୬ ତାରିଖ ଯାଏଁ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ମା ପ୍ରତ୍ୟେକ ସାହି ପରିକ୍ରମା କରିବାର କାର୍ଯ୍ଯକ୍ରମ ରହିଛି। ଅନ୍ୟପଟେ ଯାତ୍ରା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ପ୍ରକାଶ ଯେ ଦୁଇ ବର୍ଷ ବ୍ଯବଧାନରେ ଗଞ୍ଜାମ ଜିଲ୍ଲାରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥାଏ। ଏହି ଯାତ୍ରା ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

Also Read: ବର୍ଷେ ଯାଏଁ ଚାଲିପାରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ନାଟୋର ସେକ୍ରେଟାରୀ ଜେନେରାଲ ଦେଲେ ଚେତାବନୀ