ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ, ଆଖପାଖ ୫କିମି ଦୂର ଯାଏ ଖାଲି ଧୂଆଁମୟ

କାକଟପୁର(କେନ୍ୟୁଜ): ବୈଶାଖ ମାସ ସାଙ୍ଗକୁ ବହୁଛି ଦକ୍ଷିଣାପବନ । ଠିକ ଏହି ସମୟରେ ଅସ୍ତରଙ୍ଗ ନିକଟ ସିଲାରି ପାଖୁଡି ବଣରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ । ନିଆଁ ର ପ୍ରକୋପ ଭୟଙ୍କର ଭାବରେ ଜଳାଇ ଚାଲିଛି ପାଖୁଡି ବଣ କୁ । କେବଳ ଦେଖଣାହାରୀ ସାଜି ନିଆଁ କୁ ଦେଖୁଛନ୍ତି ଲୋକେ। କିଛି କରିବାର ଉପାୟ ନାହିଁ କାହାପାଖରେ । ବର୍ଷକର ରୋଜଗାର ଆଖି ଆଗରେ ଜଳି ପୋଡି ପାଉଁଶ ହୋଇଯାଉଛି ନିମିଷକ ଭିତରେ।

ତେବେ ନିଆଁକୁ ଆୟତ କରିବା ପାଇଁ ପହଁଚି ଯାଇଛି ଅସ୍ତରଙ୍ଗ ଦମକଳ କେନ୍ଦ୍ରର ଦୁଇଟି ଦମକଳ ଗାଡି। ସେଥିରେ ଅଛନ୍ତି ଛଅ ଜଣ ଅଗ୍ନିଶମ କର୍ମଚାରୀ। ହେଲେ ନିଆଁର ଆଁ ଭିତରୁ ଉଦ୍ଧାର କରିପାରିନାହାନ୍ତି ପାଖୁଡି ବଣକୁ। ବୈଶାଖ ମାସର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସଙ୍କଟ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାକୁ ଏକ ପ୍ରକାର ବାଧକ ସାଜିଛି |।ଆଖ ପାଖ ରେ ଜଳାଶୟ ନଥିବା ଯୋଗୁଁ ଅଗ୍ନିକାଣ୍ଡ ସ୍ଥାନରୁ ଦୂରକୁ ଯାଇ ପାଣିଆଣିବାକୁ ପଡୁଛି। ଯାହାଦ୍ୱାରା ନିଆଁ ତାର କାୟାମେଲାଇ ଅଧିକ ପାଖୁଡି ବଣ କୁ ପୋଡି ଆଗକୁ ବଢୁଛି। ପାଖୁଡି ବଣ ଜଳୁଥିବା ସମୟରେ ଆଖ ପାଖ ପାଞ୍ଚ କିଲୋମିଟର ଦୂର ପର୍ଯ୍ୟନ୍ତ ଖାଲି ଧୂଆଁ ଦେଖିବାକୁ ମିଳୁଥିବା ବେଳେ ପୋଡା ପାଉଁଶ ଅନେକ ଦୂର ପର୍ଯ୍ୟନ୍ତ ଉଡୁଥିବା ଦେଖିବାକୁ ମିଳିଛି ।

ଅସ୍ତରଙ୍ଗ ଅଞ୍ଚଳରେ ଲୋକମାନେ ଧାନ ଚାଷ ସହିତ ପାନ ଚାଷ କୁ ମୁଖ୍ୟ ବେଉଷା ଭାବରେ ଗ୍ରହଣ କରିଥାନ୍ତି। ଏହି ପାନଚାଷ ହେଉଥିବା ପାନବରଜ ରେ ପାଖୁଡି ମୁଖ୍ୟ କଞ୍ଚାମାଲ ଭାବରେ ବେବହାର ହୋଇଥାଏ। ସେଥିପାଇଁ ସ୍ଥାନୀୟ ଲୋକମାନେ ଧାନ ଚାଷ ପରି ପାଖୁଡି କୁ ଚାଷ କରିଥାନ୍ତି। କିନ୍ତୁ ଏହି ପାଖୁଡି ବଣରେ କୌଣଶୀ କାରଣରୁ ଅଗ୍ନିକାଣ୍ଡ ଘଟି ସହ ସହ ଏକର ପାଖୁଡିବଣ ଜଳିବାରେ ଲାଗିଛି। କେହିଜଣେ ଦୁର୍ବୁତ୍ତ ପାଖୁଡି ବଣରେ ନିଆଁ ଲଗେଇଦେଇଥିବା ସ୍ଥାନୀୟ ଲୋକମାନେ ଅନୁମାନ କରୁଥିବା ବେଳେ ଅଗ୍ନିକାଣ୍ଡ ର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ତେବେ ଏକର ପାଖୁଡି ବଣରୁ ଚାଷୀ ମାନେ ବର୍ଷକୁ ପ୍ରାୟ ୭୫ହଜାର ଟଙ୍କା ପାଉଥିବା ବେଳେ ଚାଷୀମାନଙ୍କର ବର୍ଷକର ରୋଜଗାର ଏବେ ଏହି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଲିଭାଇବାକୁ ସତଚେଷ୍ଟା କରିଥିଲେ ମଧ୍ୟ ନିଆଁ ର ମୁହଁରୁ ପାଖୁଡି ବଣ କୁ ବଞ୍ଚାଇ ପାରିନାହାନ୍ତି । ପାଖୁଡିବଣ ପୋଡି ପାଉଁଶ ହୋଇଯିବାପରେ ପାଖୁଡିବଣ ଉପରେ ନିର୍ଭରକରି ଚଳୁଥିବା କ୍ଷତିଗ୍ରସ୍ତ ଚାଷୀ ମାନେ କେମିତି ପରିବାର ପ୍ରତିପୋଷଣ କରିବେ ଏବେ ସେହି ଚିନ୍ତାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.