ମୋ ବସ୍ ସେବା ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ, ସ୍ମାର୍ଟସିଟିରେ ଗଡ଼ିଲା ୧୦୦ଟି ନୂଆ ସିଟିବସ୍

ଭୁବନେଶ୍ବର (କେନ୍ଯୁଜ୍) : ସ୍ମାର୍ଟସିଟିରେ ଆଜିଠୁ ମୋ ବସ୍ ସେବା ଆରମ୍ଭ ହୋଇଛି । ଗଡିବ ୧୦୦ଟି ନୂଆ ସିଟିବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍ଘାଟନ କରିଛନ୍ତି । ମୋ ବସ୍ ଚଳାଚଳ ପାଇଁ ଏହାର ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ ବା ସିଆରୟୁଟି ରୁଟ ମ୍ୟାପ ଜାରି କରିଛି । ନୂଆ ବସ କେଉଁ ମାର୍ଗରେ ଚାଲିବ ତାର ବିବରଣୀ ଜାରି ହୋଇଛି । ତେବେ ଏହି ରୁଟ ୩ଟି ପର୍ଯ୍ୟାୟରେ ଭାଗ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୁଟରେ କିଛି ବସ୍ ଚାଲିବ ।
ଆଗକୁ ଅନ୍ୟ ରୁଟରେ ବସ ଚଳାଚଳ ଆରମ୍ଭ ହେବ । ଆସନ୍ତା ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଓ ଡିସେମ୍ବର ୧୦ରୁ ତୃତୀୟ ପର୍ଯ୍ୟାୟ ବସ ଚଳାଚଳ ଆରମ୍ଭ ହେବ । ସ୍ମାର୍ଟସିଟି ମିଶନରେ ୨୦୦ ବସ ଚଳାଚଳ ପାଇଁ ଯୋଜନା ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଟି ଲେଖାଏଁ ବସ ଚାଲିବ । ସିଟିବସ ସେବାକୁ ମୋବାଇଲ ଆପ ସହ ସଂଯୋଗ କରାଯାଇଥିବା ସହ ବସରେ ସିସିଟିଭି ଓ ଜିପିଏସ ଲାଗିଛି । ମହିଳା କଣ୍ଡକ୍ଟରଙ୍କୁ ପ୍ରଥମ ଥର ପାଇଁ ନିଯୁକ୍ତି ଦିଆଯାଇଛି।