ଭୋଜିଭାତ ନୁହେଁ କି ମଉଜ ମଜଲିସ ନୁହେଁ, ଏମିତି ବିବାହ ରିସେପସନ୍ ପାଳନ କଲେ ନବଦମ୍ପତ୍ତି

ଯାଜପୁର : ଚାଲିଛି ବିବାହ ଋତୁ । କରୋନା ମହାମାରୀ ସମୟରେ ସରକାର ନିରାଡମ୍ବର ଭାବେ ବିବାହ ଉତ୍ସବ ପାଳନ କରିବାକୁ ଦେଉଛନ୍ତି ଅନୁମତି । ଏହିକ୍ରମରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡା ଗ୍ରାମର ଏକ ନବ ଦମ୍ପତି ନିଆରା ଢଙ୍ଗରେ ନିଜର ବିବାହ ଉତ୍ସବ ପାଳନ କରିଛନ୍ତି । ଭୋଜିଭାତରେ ନମାତି ଜରାଶ୍ରମ ଯାଇ ଅନ୍ତେବାସୀଙ୍କ ସହ ରିସେପସନ୍ ପାଳିଛନ୍ତି ଏହି ନବଦମ୍ପତି ।

ନିଆରା ଢଙ୍ଗରେ ନବଦମ୍ପତିଙ୍କ ବିବାହ ରିସେପସନ୍ ପାଳନ । ନାହାନ୍ତି ବନ୍ଧୁ ବାନ୍ଧବ ଅବା ସାଙ୍ଗସାଥୀ । ଏପଟେ ଭୋଜିଭାତର ବି ଆସର ନାହିଁ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡା ଗ୍ରାମର ଶିଶିର ମହାପାତ୍ରଙ୍କ ପୁଅ ଅବିନାଶ ମହାପାତ୍ର । ନିକଟରେ ତାଙ୍କର ବିବାହ ବୈଦିକ ରୀତିରେ ଜଗତପ୍ରଭା ମହାପାତ୍ରଙ୍କ ସହ ହୋଇଛି । କରୋନା ପାଇଁ ଜାରି ହୋଇଥିବା ନିୟମକୁ ମାନି ବିବାହ କାର‌୍ୟ୍ୟ ସଂପନ୍ନ କରାଯାଇଛି । ତେବେ ବାହାଘର ପରେ ଭୋଜିଭାତରେ ନମାତି ଏହି ନବଦମ୍ପତି ଛତିଆଠାରେ ଥିବା ସେବକ ଜରାଶ୍ରମକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ସହ ନିଜର ବିବାହ ଉତ୍ସବ ପାଳନ କରିଛନ୍ତି ।

ଏହି ଜରାଶ୍ରମରେ ଶହେରୁ ଅଧିକ ବୃଦ୍ଧ ବୃଦ୍ଧା ରହୁଛନ୍ତି । ସେମାନଙ୍କ ପାଇଁ ନୂତନ ଶାଢି, ଲୁଙ୍ଗି, ଗାମୁଚ୍ଛା ଆଦି ସାମଗ୍ରୀ ବଂଟନ କରିଛନ୍ତି । ଏଥିସହ ଅନ୍ତେବାସୀଙ୍କ ପାଇଁ ଦିନକର ଖାଦ୍ୟ ପ୍ରସ୍ତୁତି କରି ସେମାନଙ୍କୁ ପରଶି ଦେଇଛନ୍ତି । ଏହା କରିବା ଦ୍ୱାରା ସେମାନଙ୍କ ମନରେ ଖୁସି ଆଣିଦେବା ସହ ଆଶୀର୍ବାଦ ଲାଭ ହେବ ବୋଲି ଉଭୟ ନବଦମ୍ପତି କହିଛନ୍ତି । ଏହି ନିଷ୍ପତିକୁ ପରିବାର ଲୋକେ ମଧ୍ୟ ସମର୍ଥନ ଜଣାଇଛନ୍ତି । ଏହି ସମୟରେ ବିବାହ ପାଇଁ ପ୍ରଶାସନଠାରୁ ଅନୁମତି ଆଣି ନିୟମକୁ ଉଲ୍ଲଂଘନ କରୁଥିବା ନଜିର ରହିଛି । ସାଂପ୍ରତିକ ସମୟରେ ଯଦି ଏହିଭଳି କିଛି ମାନସିକତା ରଖୁଥିବା ପରିବାର ଆଗେଇ ଆସନ୍ତେ ତାହା ହେଲେ ସେମାନଙ୍କ କିଛି ସମସ୍ୟା ଦୂର ହୋଇପାରନ୍ତା ବୋଲି କହିଛନ୍ତି ଜରାଶ୍ରମର ପରିଚାଳକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.