ଲାଗିଲା ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ, ବିନା କାମରେ ବାହାରେ ବୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): କରୋନା କେସ୍ ବଢୁଛି । ବଢ଼ିଲା କଟକଣା । ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗିଲା ନାଇଟ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଛକ ଛକରେ ଜଗିଛି ପୋଲିସ । ସୁରକ୍ଷା କଡ଼ାକଡ଼ି । ବିନା କାମରେ ବାହାରେ ବୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଟୁଇନ ସିଟିରେ ଅମାନିଆଙ୍କ ଉପରେ ରହିଛି ପୋଲିସର କଡ଼ା ନଜର । ତାପୂର୍ବରୁ ପାଟ୍ରୋଲିଂରେ ଦୋକାନ ବଜାର ବନ୍ଦ କରିବାକୁ ସଚେତନ କରାଇଥିଲା ପୋଲିସ ।
କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ । ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଓ ପୋଲିସକୁ ଯାତାୟତ ଉପରେ କଟକଣା ନାହିଁ । ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଜରୁରିକାଳୀନ କାମରେ ବାହାରକୁ ଯାଇପାରିବେ । ଔଷଧ ଦୋକାନ ମାଲିକ ଓ କର୍ମଚାରୀ ଯାଆସ କରିପାରିବେ । ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଟାକ୍ସି ଓ ଅଟୋ ଉପରେ କଟକଣା ନାହିଁ । ନାଇଟ୍ କର୍ଫ୍ୟୁ ପାଇଁ ପୁରୀରେ ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଦର୍ଶନ ମନା । ଅଯଥାରେ ବାହାରେ ବୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।