Below header

ଦକ୍ଷିଣଆଫ୍ରିକାର ଜୋହାନସବର୍ଗରେ ଫସିରହିଛନ୍ତି ଓଡ଼ିଆ ଯୁବକ, ପୁଅକୁ ମୁକୁଳାଇବା ପାଇଁ ବାପାଙ୍କ ଆକୁଳ ନିବେଦନ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣଆଫ୍ରିକାର ଜୋହାନସବର୍ଗର ପୁମାଙ୍ଗାରେ ଫସିରହିଛନ୍ତି ଓଡ଼ିଆ ଯୁବକ। ପୁଅକୁ ମୁକୁଳାଇବାକୁ ବାପାର ଆକୁଳ ନିବେଦନ। ଭୁବନେଶ୍ୱର ଏଜି ଅଫିସରେ କାର୍ଯ୍ୟ କରୁଥିବା ରଞ୍ଜନ ନନ୍ଦଙ୍କ ପୁଅ ସବ୍ୟସାଚୀ ସାଉଥଆଫ୍ରିକାରେ ଫସି ରହିଛନ୍ତି ।  ୨୦୧୯ରେ ଦକ୍ଷିଣ ଆଫ୍ରିକା ଯାଇଥିଲେ ସବ୍ୟସାଚୀ । ତେବେ କରୋନା ସଂକ୍ରମଣ ପାଇଁ ସେ ସେଠାରୁ ଫେରି ପାରିନଥିଲେ । ତାଙ୍କ ଭିସା ଅବଧି ୨୦୨୦ ଏପ୍ରିଲରେ ଶେଷ ହେଉଥିବା ବେଳେ ସେ ଏନେଇ ଜୋହାନ୍‌ସବର୍ଗର ଭାରତୀୟ ଦୂତାବାସଙ୍କୁ ଜଣାଇଥିଲେ। କିନ୍ତୁ ଦୂତାବାସ କାର୍ଯ୍ୟାଳୟ ବନ୍ଦ ଥିବାରୁ ସେ କାର୍ଯ୍ୟ କରୁଥିବା ଫାର୍ମରେ ରହିଆସୁଥିଲେ । ୨୦୨୧ ଫେବ୍ରୁଆରି ୧୯ ରାତିରେ କିଛି ଦୁର୍ବୃତ୍ତ ଫାର୍ମହାଉସ ମାଲିକଙ୍କ ପୁଅକୁ ହତ୍ୟା କରିଥିଲେ। ସେଠାରେ ଉପସ୍ଥିତ ଥିଲେ ସବ୍ୟସାଚୀ ।

ସ୍ଥାନୀୟ ପୋଲିସ ସେଠାକୁ ତଦନ୍ତ ପାଇଁ ଆସି ସବ୍ୟସାଚୀଙ୍କ ପାସପୋର୍ଟ ଓ ମୋବାଇଲ ନେଇଯାଇଥିଲେ। ଏହାପରେ ଭୟଭୀତ ଥିବା ସବ୍ୟସାଚୀ ଏହାକୁ ଫେରାଇବାକୁ ବାରମ୍ବାର ନିବେଦନ କରିଥିଲେ ସୁଦ୍ଧା କୌଣସି ଫଳ ମିଳିପାରିନାହିଁ । ଏପରିକି ରଞ୍ଜନ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ବିଭାଗୀୟ ଅଧିକାରୀଙ୍କୁ ହସ୍ତକ୍ଷେପ ପାଇଁ ବାରମ୍ବାର ପତ୍ର ଲେଖି ଜଣାଇଛନ୍ତି । ଜୁଲାଇ ୭ରେ ରଞ୍ଜନଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଛି। ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ସବ୍ୟସାଚୀଙ୍କୁ ଫେରାଇ ଆଣିବାକୁ ରଞ୍ଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ କେନ୍ଦ୍ରର ଓଡ଼ିଆ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.