ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ମନା

ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି । ଏପ୍ରିଲରୁ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ):  ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ ।  ତତଲା କଡେଇରେ ସିଝୁଛି ଅଧା ଓଡ଼ିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିଲାଣି ତାପମାତ୍ରା । ଅସ୍ତବ୍ୟସ୍ତ ହେଲାଣି ଜୀବନ । ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି । ଏପ୍ରିଲରୁ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଜାରି ହୋଇଛି ।

ସେହିପରି ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ କୁଲର ବା ଏସି ରହିବ ।  ପର୍ଯ୍ୟାପ୍ତ ପରିମାଣର ପାଣି ରହିବ ଓ ଓଆରଏସ୍‌ ବି ମହଜୁଦ ରହିବ ।  ଏଥିସହ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ନିମନ୍ତେ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ମହାନଗର କମିଶନରଙ୍କୁ ଏସ୍‌ଆର୍‌ସି ଅଫିସରୁ ଚିଠି ଲେଖାଯାଇଛି । ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ କୁହାଯାଇଛି । ବିଭିନ୍ନ ଛକରେ ବିଶ୍ରାମ ଗୃହ, ଜଳଛତ୍ର ନଥିବା ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ସେପଟେ ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୨୫ ସହରର ତାପମାତ୍ରା । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ବର। ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠରେ ରହିଛି ।  ଭୁବନେଶ୍ବରେ ଗତକାଲିର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ ସେଲସିୟସ ।  ସେହିପରି ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୬, ତାଳଚେରରେ ୪୨.୪, ମାଲକାନଗିରିରେ ୪୨.୨ଓ ବୋଦ୍ଧରେ ୪୨.୨ ଡିଗ୍ରି ସେଲିସୟସ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳରେ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିଥିଲା ।  ଆଜି ମଧ୍ୟ ଉଷ୍ଣ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ଣ ରାତିର ସମ୍ଭାବନା ରହିଛି । iଗ୍ରୀଷ୍ମ ଲହରୀ ଆଶଙ୍କା ପାଇଁ ୧୪ ଜିଲ୍ଲାକୁ ଆଲର୍ଟ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.