ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି, କଡ଼ା ସୁରକ୍ଷା ପାଇଁ ଟୁଇନ୍ ସିଟିରେ ମୁତୟନ ରହିବେ ୫୦ ପ୍ଲାଟୁନ୍ ଫୋର୍ସ

ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ । ମୟୂରଭଞ୍ଜ ଜିଲ୍ଲାରେ ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ । କାଲି ଅପରାହ୍ଣରେ ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାରେ ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୬ ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ପର୍ଯ୍ୟାୟ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟୁଇନ୍ ସିଟିରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଭୁବନେଶ୍ବରରେ ରହିବେ ୩୦ ପ୍ଲାଟୁନ ଓ କଟକରେ ୨୦ ପ୍ଲାଟୁନ୍ ଫୋର୍ସ ସୁରକ୍ଷାରେ ମୁତୟନ ରହିବେ । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ ଦାୟିତ୍ୱରେ ୮୫ ଅଫିସର ଓ କଟକରେ ୪୩ ଅଫିସର ରହିବେ । ସେହିପରି ଟୁଇନ ସିଟିରେ ୧୬୦ ଟ୍ରାଫିକ ପୋଲିସ ରହିବେ ।

ସେହିପରି ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ନିଜ ବାସଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୨୯ ତାରିଖ ସକାଳ ୯ଟା ୧୫ ମିନିଟରେ ଖିଚିଂ ଯିବେ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ଵରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ରାଇରଙ୍ଗପୁର କାର୍ଯ୍ୟକ୍ରମ ସାରି କେନ୍ଦୁଝର ଆସିବେ ମହାମହିମ। ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନାଚକ୍ରକୁ ଉଦଘାଟନ କରିବେ । ସେଠାରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବେ । ରାଜଭବନରେ ରାତ୍ରିଯାପନ କରିବେ । ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଫେରି ଅପରାହ୍ଣରେ ଯିବେ କଟକ । ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ୨ ତାରିଖ ସକାଳେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି। କଦଳୀଗଡ଼ ଓ ରେଢ଼ାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସନ୍ଧ୍ୟା ୫ଟା ୪୫ରେ ଝାରସୁଗୁଡ଼ା ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.