ଖୋର୍ଦ୍ଧା: ବ୍ରାଉନସୁଗାର ମାଫିଆଙ୍କ ଦାମୀ କାରରୁ ମିଳିଲା ୨୨ ଲକ୍ଷ ଟଙ୍କା, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଶିଆଳିଆ ରାସ୍ତାରୁ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ ଲକ୍ଷ ଟଙ୍କା, ସହିତ ଏକ ଦାମୀ କାର( ନଂ OD02CB-4242) ଜବତ ହୋଇଛି।  ଯାହାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ। ତେବେ ପୋଲିସକୁ ଚକମା ଦେଖାଇ ବ୍ରାଉନସୁଗାର ବେପାରୀ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି। ଏସଡିପିଓ ଦିଲ୍ଲୀପ ଦାସ, ଥାନାଧିକାରୀ ତାରିକ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

ଗତ ଅକ୍ଟୋବର ୨୧ ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ କେସ୍ ନଂ ୫୨୧/୨୨ରେ ବ୍ରାଉନସୁଗାର କାରବାର ସମ୍ପୃକ୍ତି ନେଇ ସାମନ୍ତରାପୁର ଅଞ୍ଚଳର କାନି ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତୀ ବେହେରା, କୁଳମଣି ବେହେରା ପ୍ରମୁଖ ଗିରଫ ହୋଇଥିଲେ । ତାଙ୍କ ଠାରୁ ୫୧୧.୬୭୦ ସୁନା, ୮୩୦ ଗ୍ରାମ ରୁପା, ୫୦ ଗ୍ରାମ ବ୍ରାଉନସୁଗାର ସହିତ ବିପୁଳ ପରିମାଣର କ୍ଯାସ୍ ମଧ୍ୟ ଜବତ ହୋଇଥିଲା । କାନି ବେହେରାଙ୍କ ପୁଅ ଶରତ ଓରଫ ବାୟା ଫେରାର ହୋଇଯାଇଥିଲା।

 

ଗତକାଲି ଅପରାହ୍ନ ସାଢେ ୨ଟା ବେଳେ ଶରତ ବ୍ରାଉନସୁଗାର ଧରି ଏକ କାରରେ ଭୁବନେଶ୍ଵର ଯାଉଥିବା ଖବର ପାଇ ପୋଲିସ ରାଜପଥର ବିଭିନ୍ନ ଛକରେ ଜଗିଥିଲା। ତେବେ ପୋଲିସ ଆଖିରେ ଧୂଳି ଦେଇ ଶରତ କାରକୁ ଶିଆଳିଆ ରାସ୍ତାରେ ଛାଡି ଚମ୍ପଟ ମାରିଥିଲା। ପୋଲିସ କାର ଯାଞ୍ଚ ବେଳେ କାର ଭିତରୁ ଟଙ୍କା ଜବତ କରିଛି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.