ପରିକ୍ରମା ପାଇଁ କାଲିଠୁ କମ୍ପିବ ଶ୍ରୀକ୍ଷେତ୍ର; ୩୦ ପ୍ଲାଟୁନ୍ ଫୋର୍ସ, ୩୦ ଅଫିସର ହେବେ ମୁତୟନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରକ୍ରିୟା । କାଲି ଅପରାହ୍ନ ୨ଟା ୪୫ରୁ ୪ଟା ପର୍ଯ୍ୟନ୍ତ ହେବ ଗଜପତି ମହାରାଜାଙ୍କ ଦ୍ବାରା ବ୍ରାହ୍ମଣ ବରଣ ।

ପୁରୀ (କେନ୍ୟୁଜ୍‌): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରକ୍ରିୟା । କାଲି ଅପରାହ୍ନ ୨ଟା ୪୫ରୁ ୪ଟା ପର୍ଯ୍ୟନ୍ତ ହେବ ଗଜପତି ମହାରାଜାଙ୍କ ଦ୍ବାରା ବ୍ରାହ୍ମଣ ବରଣ । ସନ୍ଧ୍ୟା ସାଢେ ୬ଟାରୁ ରାତି ସାଢେ ୮ଟା ମଧ୍ୟରେ ଯଜ୍ଞ ପାଇଁ ଆଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ଓ ୧୪ ତାରିଖରେ ଅଙ୍କୁର ପୂଜନ ସହ ଯଜ୍ଞ ଅଧିବାସ କରାଯିବ ।

ଏହା ପୂର୍ବରୁ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆଲୋଚନା ହୋଇଛି ।

ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏହାପୂର୍ବରୁ ୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯିବ । ସେହିଭଳି ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପରାୟଣ ସହ ଅନଃପ୍ରଦକ୍ଷଣ ପଥରେ ନାମ ସଂକୀର୍ତ୍ତନ କରାଯିବ ।

୧୬ ତାରିଖରେ ସୂର୍ଯ୍ୟପୂଜା ସହ ଯଥାବିଧି ପୂଜାର୍ଚ୍ଚନା କରାଯିବ । ୧୭ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ସେହିଦିନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରିବେ ଏବଂ ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଥିପାପାଇଁ ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ଲାଗି ପ୍ରଶାସନିକ ଆୟୋଜନ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ଏବଂ ୩୦ରୁ ଅଧିକ ଅଫିସର ମୁତୟନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.