ପାଠପଢ଼ା ସମୟରେ ସ୍କୁଲ ଗେଟକୁ ରଙ୍ଗ କରୁଛନ୍ତି ଛାତ୍ର , ଅନୁଗୁଳ କୁଇଓ ହାଇସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର 

ଅନୁଗୁଳ: ସଭିଏଁ ପଢ଼ିବେ, ସଭିଏଁ ବଢିବେ। ସମସ୍ତଙ୍କୁ ଶିକ୍ଷା ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ ସମୟରେ ଏମିତି ବି ଅଭିଯୋଗ ଆସେ ଯେ, କୋମଳମତି ପିଲାଙ୍କୁ ସ୍କୁଲ କାମରେ ଲଗାଯାଉଛି। ପାଠପଢ଼ା ବଦଳରେ ସ୍କୁଲ ପରିସର ଓ କ୍ଲାସ ରୁମକୁ ସଫାସୁତୁରା କରିବା କାମରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କୁଇଓ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ। ସ୍କୁଲ ଗେଟରେ ରଙ୍ଗ ମାରୁଛନ୍ତି କିଛି ଛାତ୍ର।

କଲମ ଧରିବା ହାତରେ ରଙ୍ଗ ତୁଳି ଧରି ଗେଟକୁ ରଙ୍ଗୀନ କରୁଛନ୍ତି। ସ୍କୁଲ ଟାଇମ ଅର୍ଥାତ ସକାଳ ୧୦ଟାରୁ ୧୨ଟା ଯାଏଁ ଏହି କାମରେ ସେମାନେ ଲାଗିଥିଲେ। ଏହାପରେ ସ୍କୁଲ ଭିତରକୁ ପିଲାମାନେ ପଳାଇଥିଲେ। ଏସମ୍ପର୍କରେ ପିଲାମାନଙ୍କୁ ପଚାରିବାରୁ ସେମାନେ କହିଥିଲେ, ବିଜ୍ଞାନ ମେଳା ପାଇଁ ପ୍ରଧାନ ଶିକ୍ଷକ ସ୍କୁଲ ଗେଟରେ ରଙ୍ଗ ମାରିବାକୁ କହିଥିଲେ। କିନ୍ତୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ପ୍ରଧାନ ଶିକ୍ଷକ। ଏହି କାମ ପାଇଁ କୌଣସି ଠିକା ଶ୍ରମିକଙ୍କୁ ନିୟୋଜିତ କରିବାର ଥିଲା। ପ୍ରଶ୍ନ ଉଠୁଛି,ପ୍ରଧାନ ଶିକ୍ଷକ ପିଲାଙ୍କୁ ପାଠପଢ଼ା ସମୟରେ କେମିତି ଏହି କାମରେ ଲଗାଇଥିଲେ ? ଏହା କେତେ ଦୂର ଠିକ? ଏହା କଣ ସ୍କୁଲରେ ଶୈକ୍ଷିକ ବାତାବରଣର ନକରାତ୍ମକ ଚିତ୍ର ନୁହେଁ କି?

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.