ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ, ନାପସନ୍ଦ କରିଛନ୍ତି ହାଇକୋର୍ଟ ଓକିଲ ସଂଘ

କଟକ(କେନ୍ୟୁଜ୍): ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ ଓକିଲ ସଂଘ। ଏହି ପ୍ରସଙ୍ଗରେ ଆଜି ଅପରାହ୍ନରେ ବସୁଛି ହାଇକୋର୍ଟ ବାର୍ ଆସୋସିଏସନ୍‌ର ଆକ୍ସନ ଟେକେନ୍ କମିଟି ବୈଠକ। ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଏଠାରେ ଆଲୋଚନା ହେବ। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ବିଚାର ବ୍ୟବସ୍ଥାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଆବଶ୍ୟକ ହେଲେ ଅର୍ଦ୍ଧସାମରିକ ବଳ ଲଗାଇବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ। ହାଇକୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ମାମଲାର ଶୁଣାଣି କରି ଏଭଳି ନିର୍ଦେଶ ଦେଇଥିଲେ ଦୁଇଜଣିଆ ଖଣ୍ଡପୀଠ । ଯଦି ଆନ୍ଦୋଳନକୁ ରାଜ୍ୟ ପୋଲିସ ସମାଧାନ କରିପାରୁନି ତେବେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ବ୍ୟବହାର କରିବାକୁ କହିଥିଲେ ସୁପ୍ରିମକୋର୍ଟ। ଟେମ୍ପଲ ଅଫ ଜଷ୍ଟିସକୁ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବନି ବୋଲି କଡା ଭାଷାରେ ଚେତାବନୀ ଦେଇଥିଲେ। ଓକିଲଙ୍କ ଆନ୍ଦୋଳନ ପାଇଁ କୋର୍ଟ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡ଼ିଥିବା ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ସୂଚନା ଦିଆଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲିକୁ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.