ଲୋକଙ୍କ ମନରେ ତାଜା ହୋଇଛି କୁମ୍ଭୀର ଭୟ, ଆତଙ୍କରେ ଗାଁ ଲୋକେ

ବାସୁଦେବପୁର ଗାଁରେ ଥିବା ମନ୍ତେଇ ନଈରେ ବଉଳା କୁମ୍ଭୀର ଭାସୁଥିବାର ଦେଖି ସମସ୍ତେ ଛାନିଆ ହୋଇ ଗଲେଣି । ମନ୍ତେଇ ନଈ କୂଳରେ ବାସ କରୁଥିବା ବାସୁଦେବପୁର ଅଞ୍ଚଳର ଗ୍ରାମବାସୀ ମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଭଦ୍ରକ (କେନ୍ୟୁଜ୍‌): ଭାବୁଛନ୍ତି କି ବର୍ଷା ଦିନ ତ ସରିଲା ଆଉ ଏବେ କୁମ୍ଭୀର ଭୟ ନାହିଁ । ଯଦି ଆପଣମାନେ ଏପରି କିଛି ଭାବୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏବେ ବି ଉଛୁଳା ନଈରେ ଭାସୁଛି ବଉଳା କୁମ୍ଭୀର । ଆଉ ଏହି କୁମ୍ଭୀର କେତେବେଳେ ଗାଈ ଟାଣି ନେଉଛି ତ ଆଉ କେତେବେଳେ ମଣିଷ ଟାଣି ନେଉଛି । ଏଭଳି ଖବର ବାରମ୍ବାର ପ୍ରକାଶ ପାଇଛି । ଆଉ ଏହି ଭୟ ପୁଣି ଲୋକଙ୍କ ମନରେ ତାଜା ହୋଇଛି । କାରଣ ବାସୁଦେବପୁର ଗାଁରେ ଥିବା ମନ୍ତେଇ ନଈରେ ବଉଳା କୁମ୍ଭୀର ଭାସୁଥିବାର ଦେଖି ସମସ୍ତେ ଛାନିଆ ହୋଇ ଗଲେଣି । ମନ୍ତେଇ ନଈ କୂଳରେ ବାସ କରୁଥିବା ବାସୁଦେବପୁର ଅଞ୍ଚଳର ଗ୍ରାମବାସୀ ମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ମନ୍ତେଇ ନଈ ଲୁଙ୍ଗା ପଞ୍ଚାୟତର ବଡକିଆରିରୁ ବାହାରି ଧାମରା ମୁହାଣରେ ମିଶିଛି ।

ଏହି ନଈଟି ଜୁଆରିଆ ନଈ ହୋଇଥିବା ବେଳେ ଏଠାକାର ଲୋକମାନେ ଉକ୍ତ ନଈ ଉପରେ ନିର୍ଭର କରି ଥାଆନ୍ତି । ପ୍ରତିଦିନ ଗ୍ରାମବାସୀ ମାନେ ନଈ କୂଳରେ ନିଜର ଗୃହପାଳିତ ପଶୁଙ୍କୁ ଚରାଇବା ପାଇଁ ଛାଡିଦିଅନ୍ତି । ଛୋଟ ପିଲା ଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ନଈରେ ସମସ୍ତ କାର୍ଯ୍ୟ କରି ଥାଆନ୍ତି । ପୂର୍ବରୁ ଏ ନଈରେ କୁମ୍ଭୀର ନଥିଲା କିନ୍ତୁ ବର୍ତ୍ତମାନ ନଈ ମଝିରେ କୁମ୍ଭୀର ଭାସୁଥିବା ଦେଖାଯାଇଛି । ବିଗତ ପାଞ୍ଚ ବର୍ଷ ଭିତରେ ଅନେକ ଲୋକ, ଗାଈ ଓ ମଇଁଷି କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । କିନ୍ତୁ ବନ ବିଭାଗ କେବଳ କିଛି ସ୍ଥାନରେ ସୂଚନା ଫଳକ ଲଗାଇଛି । ନଦୀକୂଳିଆ ଗାଁରେ ଯେଉଁଠି ଲୋକମାନେ ନଦୀରେ ଚଳପ୍ରଚଳ ହେଉଛନ୍ତି ସେହି ସ୍ଥାନ ମାନଙ୍କରେ ତାର ଜାଲି ଲଗାଇବାକୁ ଦାବି କରିଆସୁଥିଲେ ବି ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନଦୀକୂଳିଆ ଗାଁ ଲୋକେ ।

ନଈ କୂଳରୁ ଏକ ଗାଈକୁ ଘୋଷାଡ଼ି ନେଇ କୁମ୍ଭୀର ଖାଇ ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କୁମ୍ଭୀର ଆତଙ୍କ ଯୋଗୁ ମାଛ ଧରିବାକୁ ମତ୍ସ୍ୟଜିବୀ ଭୟ କରୁଛନ୍ତି । କୁମ୍ଭୀର ଆତଙ୍କ ସ୍ଥାନୀୟ ଅଂଚଳର ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଉଛି ।

ବାସୁଦେବପୁର ଅଞ୍ଚଳରେ ଥିବା ମନ୍ତେଇ ନଈରେ ବାରମ୍ୱାର କୁମ୍ଭୀର ଆତଙ୍କ ନେଇ କୌଣସି ସଚେତନତା ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଯଦି ଉକ୍ତ ନଈ କୂଳରେ କିଛି ବ୍ୟବସ୍ଥା କରାଯାଏ ତେବେ ସ୍ଥାନୀୟବାସୀ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.